ସମ୍ପର୍କର ପରିଭାଷା
ସମ୍ପର୍କର ପରିଭାଷା
ମଣିଷ ଆଉ ଥୁଣ୍ଟା ବରଗଛ
ଭିତରେ ଫରକ କଣ ଅଛି ଆଉ??
ଦୁହିଁଙ୍କ ଜୀବନ ସଙ୍ଗୀତ ଏକା
ଆନ ପାଇଁ ବଞ୍ଚିବାକୁ ବଦ୍ଧପରିକର
ଲୁଟାଇ ଦେଇ ସର୍ବସ୍ବ ଜୀବନର
ମାତ୍ର କେହିବି ନୁହଁଇ ନିଜର!!
ଦିନେ ଥିବେ ଦୁହେଁ ହରିତ ହର୍ଷିତ
ବୁକୁରେ ଧରି ଅପତ୍ଯବର୍ଗର ମୋହ
ମନେ ମନେ ହେଉଥିବେ ଗର୍ବିତ
ଆପଣାର ମହାର୍ଘ ଉପଲବ୍ଧିକୁ ନେଇ
ହସିଲା ପୁରିଲା ସଂସାରକୁ ଦେଖି
କାଟୁଥିବେ ଦିନ ଅବଶିଷ୍ଟ ଜୀବନର!!
ବୟସର ସାୟାହ୍ନରେ ସଂପର୍କର
ଡୋରି ଯେବେ ହୁଅଇ ହୁଗୁଳା
ଡ଼େଣା ମେଲି ଉଡିଯାଆନ୍ତି ଦୂରେ
ଆଶ୍ରୟ ନେଇଥିବା ଅପତ୍ଯବର୍ଗ
ଯିଏ ଯାହାର ଗନ୍ତବ୍ୟ ମାର୍ଗରେ
ସୃଷ୍ଟି କରି ଶୂନ୍ୟସ୍ଥାନ ହୃଦୟରେ!!
ଦେହର ଦେହଳୀ ଘରର ଅଗଣା
ସବୁଠି କେବଳ ନିରୁତା ବିଜନତା
ନିସ୍ତବ୍ଧତାର ନିରଙ୍କୁଶ ଅଖଣ୍ଡ ରାଜୁତି
ଦିନେ ଜଣା ପଡୁନଥିବା ଚକଲଗା ସମୟ
ଏବେ ବିତାଇବାକୁ ପଡେ ହୋଇ ଘାଣ୍ଟି ଚକଟି
ଅସହ୍ୟ ଦୁଃଖ ଗ୍ଲାନି ଓ ଅସହାୟତାରେ!!
ଏଇ ଦୁର୍ବିସହ ଘଡ଼ିସନ୍ଧି ବେଳେ
ପ୍ରିୟଜନର ସାନିଧ୍ୟ ପାଇବାକୁ ପ୍ରାଣ ଝୁରେ
କିନ୍ତୁ ସଭିଏଁ ମଗନ ଆପଣା ଧୁନ୍ ରେ
ଦୂର ଦେଶେ ଆପଣା ଦୁନିଆରେ
ଦେହର ସବୁଜିମା ହଜିଯିବା ପରେ
ଆଉ କି କେହି ଥୁଣ୍ଟା ବରଗଛକୁ ଆଶ୍ରା କରେ??