ସମ୍ମୋହନ
ସମ୍ମୋହନ
ହୃଦୟର ଦ୍ବାରେ କରାଘାତ କା'ର
ବାରମ୍ବାର ଧ୍ୟାନ ଭାଜେ
ମନର ଗବାକ୍ଷେ ଉଙ୍କିମାରେ ଆତ୍ମା
ପ୍ରିୟବାନ୍ଧବ ହେଲେକି ବିଜେ
ଶୁଭୁଛି ଶ୍ରୁତିକୁ ସେ ମୃଦୁ ପାଦଶବ୍ଦ
ଛନ୍ଦତୋଳା ମନ୍ଦ ଚାଲି
ସରଗରଚାନ୍ଦ ପଡିଲେ କି ଖସି -
ନା-ଭ୍ରମ ତୋଳେ ଚୋରାବାଲି ।
କିଆଫୁଲିଆ ଏ ଫୁଲେଇ ରାତିଟା
ଭିଏଇଛି କି ପ୍ରବଂଧ !
ଭୁରୁଭୁରୁ ଗଂଧ ଲେପିହୁଏ ଅଂଗେ
ସତେ ସେ ଅଂଗ ଚଂଦନଗଂଧ
ବିଜୁଳି ର ଛଟା ଖେଳିଗଲା ଅବା
ସ୍ମିତହାସ୍ୟ ରଂଗାଧରେ
ଉଦାସୀ ପ୍ରାଣ ମୋ ଗାଧୋଇ ପଡିଲା
ଆଉଟା ସୁବର୍ଣ୍ଣ ଝରେ ।
ଉଛୁଳିଲା ଆଖି ଛଳଛଳ ପ୍ରୀତି
ଓଷ୍ଠ କଂପେ ଘନ ଘନ
ସେ ପାଦପଦ୍ମରେ ଏ ଅବଶ ଶରୀର
ମାଗୁଛି କି ସମର୍ପଣ
ତୋଳିନେଲେ ବୋଧେ ବିଶାଳ ବକ୍ଷରେ
ଯେସନେ ତୁଳସୀଦଳ
ଝର ଝର ଝର ଝରି ପଡେ ଅଶ୍ରୁ
ତର୍ପଣେ କି ଗଂଗା ଜଳ ।
ସ୍ବପ୍ନ କି ବାସ୍ତବ ବାରି ହେଉନାହିଁ
ସମ୍ମୋହନେ ତନୁ ଲୀନ
ସଂଗମରେ ଅଂଗ ପାପକାତି
ଛାଡି ଲଭୁଛି ଯେମିତି ପୁଣ୍ୟ ।
