ସମ୍ବଳ ସଞ୍ଜିବନୀ
ସମ୍ବଳ ସଞ୍ଜିବନୀ


ସକାଳେ ଅକାଳେ ମନରେ ଉଠେ ପ୍ରଶ୍ନ
କି ତୁମେ ମୋ ପାଇଁ ଅମ୍ଳଜାନ
ଅତ୍ୟାବଶ୍ୟକ ବନ୍ଧନ ଇନ୍ଧନ
ଇତ୍ୟାଦି ଇତ୍ୟାଦି କେତେ କ'ଣ
ଉପମା ଉପମେୟରେ ଖଞ୍ଜା
ତାରା ଭରା ରାତି ଲଗ୍ନେ ପୂର୍ଣ୍ଣିମା ଜହ୍ନ
ଆଉ ଯଦି ତୁମେ ନ ଆସ
ଲାଗିବ କିଛି ବି ନାହିଁ ଜୀବନରେ
ବୈରାଗ୍ୟ ନିରାଶାମୟ ମରୁ ମରିଚିକା
ନିଃଶ୍ୱାସ ଯେମିତି ଅଟକି ଯିବ କି ଅଧା ବାଟରେ
ଭାବିନିଅ କି
ତୁମେ ସହିତ ଭେଟ ହେଲା ଅଚାନକ
କ୍ଷଣିକ ଉନ୍ମାଦନାରେ ଆନନ୍ଦାନୁଭବ ସମ୍ୟକ
ମନ କରୁଥିବ
ଆଉ ଟିକେ ଅଧିକା ଗପ ସପ କରିବା
ହେଉଥିବ ସମୟ କଣ୍ଟକ
ଆଉ ଟିକେ ବେଶି ସମୟ ସାଥେ ବିତେଇବା
ହେଉଥିବ ସମାଜ ବାଧକ
କପେ କଫି ପାଇଁ ଅନୁରୋଧ ହାତେଇବ
ା
ହେଉଥିବ ଦାୟିତ୍ୱ ସାୟକ
ପତ୍ରଝଡ଼ା ଗଛରେ
ନୂଆ ପତ୍ର କଅଁଳିବା ପରି
ନିଦାଘକ୍ଳିଷ୍ଟ ବୈଶାଖ ପରେ
ବିଦ୍ୟୁତ୍ ଲୋଚନା ଶ୍ରାବଣ ପରି
ସେହି ଅଳ୍ପ ସମୟର ମିଳାମିଶା
ସେହି ସ୍ଵଳ୍ପ ସମୟର କଥାଭାଷା
ସେହି ଅଳପ ଗଳପର ମଲ୍ଲିହଁସା
ସମ୍ବଳ ସଞ୍ଜିବନୀ ପରା
ନିର୍ମାଲ୍ୟ କୈବଲ୍ୟ ସସରା
କାଟିବାକୁ ବାକି ଜୀବନ ଯଥେଷ୍ଟ ବାହକ
ପ୍ରଶ୍ନ ମୋର
କାହିଁକି ଜଣେ ଏତେ ଆପଣାର ଲାଗେ ?
କାହିଁକି ଅଜାଣତରେ ଜଣେ ଅତି ନିଜର ଲାଗେ ?
କାହିଁକି ଅଚିହ୍ନା ଅଜଣା ଜଣକୁ ମନରେ ମାଗେ ?
କାରଣ ପଚାରୁନି
କୈଫତ୍ ମାଗୁନି ଫେଡି ବାଙ୍କନୟନ
ମିଳିଗଲେ ଉତ୍ତର
କ୍ଳେଶ କ୍ଳାନ୍ତି କଟନ୍ତା ହେ କଳାବଦନ ।