STORYMIRROR

Bharatabandhu Biswal

Classics Others

4  

Bharatabandhu Biswal

Classics Others

ସମ୍ବାଦ

ସମ୍ବାଦ

1 min
241


ହେ ଯକ୍ଷପତି ପିତା ଧର୍ମରାଜ !

ପ୍ରଶ୍ନ ସବୁ ପଚାରିଲ

ଗୋଟି ଗୋଟି ଦେଲି ମୁଁ ଉତ୍ତର,

କୃତାର୍ଥ ମୁଁ ଯେଣୁ ତୁମ୍ଭେ

ହୋଇଛ ସନ୍ତୁଷ୍ଟ,

ଭାତୃଗଣେ ଦେଲ ଜୀବନ୍ୟାସ,

ମେଲାଣି ଦିଅ ପିତର

ଜଳଘେନି ଯାଏ ମୁଁ ତୁରନ୍ତ,

ପୁତ୍ରବଧୂ ଯାଜ୍ଞସେନୀ ତୁମ୍ଭ

ଅଛନ୍ତି ତୃଷାର୍ତ୍ତ ।


ଶୁଣ ପୁତ୍ର ଯୁଦ୍ଧିଷ୍ଠିର,

ତୁମ୍ଭେ ଜ୍ଞାନୀ ଧୈର୍ଯ୍ୟ ଶୀଳ

ସଚେତନ ଅଟ ସତ୍ୟ ସନ୍ଧ,

ସଂସାରର ଦୁଃଖ ସୁଖ ଭୋଗାଭୋଗ

ଠାରୁ ତୁମେ ନିରାପଦ ଦୂର

ଦୃଢ଼ ତୁମ ସଙ୍କଳ୍ପ ନିଶ୍ଚୟ ।


ଏ ସୃଷ୍ଟି ବଟ ବିରାଟ

ମନୁଷ୍ୟ ମାତ୍ର ନିମିତ୍ତ ସୁପୁତ୍ର ଅମୃତ,

ଈଶ୍ୱର ସର୍ବନିୟନ୍ତା ଏଣୁ ଈଶ୍ୱରଙ୍କ

ଇଚ୍ଛା ଅଟେ ସର୍ବୋପରି,

ଅପ୍ରମିତ ଅନାହତ ଇଚ୍ଛାରେ ତାଙ୍କରି

ଚନ୍ଦ୍ର ସୂର୍ଯ୍ୟ ହୁଏ ଆତଯାତ

ପ୍ରଚଳିତ ପ୍ରାଣବାୟୁ ଜଳ ପ୍ରବାହିତ ।

ଏଣୁ ବିଶ୍ଵ କଲ୍ୟାଣ କାରଣେ

ଏ ଜୀବନ କର୍ମ ଧର୍ମ ଅର୍ଥ ପ୍ରାପ୍ତି

ଜୀବନ ସାର୍ଥକ ।


କର୍ମଫଳ ଭୁଞ୍ଜଇ ମଣିଷ,

ଆୟତ୍ତଇ ବିଦ୍ୟା ଓ ଅବିଦ୍ୟା 

ପାଏ ତା'ର ଗତି ଆଉ ମୋକ୍ଷ,

ଚିତ୍ତ ଚଳ ଚଞ୍ଚଳ ଓ

ମନୋଦଶା ଅଟଇ ବ୍ୟାପକ,

ଆପଣାକୁ ଶରୀର ନ ମଣ

ଅବବୋଧ ମୁକ୍ତ ଆତ୍ମା ଜ୍ଞାନ ସତ୍ୟ

ଜୀବନ ଉଦ୍ଦେଶ୍ୟ ।


ହିରଣ୍ମୟ ଅଗ୍ନିଦାହ ସମୟ

କଷଟୀପୃଷ୍ଠ,

ସୁବର୍ଣର ଶୁଦ୍ଧାଶୁଦ୍ଧ ଗୁଣମାନ

ପରୀକ୍ଷଣ ହୋଇଥାଏ ବାରଂବାର

ବିଶ୍ଳେଷଣେ ଉତ୍ତରଣ

ସୁଉତ୍ତମ ଜୀବନ ନିଷ୍କର୍ଷ ।

ଚନ୍ଦ୍ର ପରି ଝଲମଲ ଦିଶୁଥିବା

କ୍ଷଣଭଙ୍ଗ ମିଛ ମାୟା ମୋହ,

ନିଶ୍ଚିତ ଯେ 

ସୁଧା ମଧୁ ଯୁକ୍ତ,

ଏ ଅବଧାରଣା ସତ୍ୟ ନୁହଁ ସବୁବେଳେ

ହୋଇପାରେ ମଧ୍ୟ ଭ୍ରମାତ୍ମକ ।


ଅକ୍ଷର ଅମୃତକଣ ଅଣାକାର

ମାତୃଗର୍ଭେ ହୁଅଇ ସଞ୍ଚାର,

ଓଁକାର ସ୍ୱରୂପ ସୃଜେ ଗରୀୟସୀ ଏଣୁ ମାତା

 ମାତା ହିଁ ଈଶ୍ୱର ।

ପିତା ଧର୍ମ ପିତା ସ୍ୱର୍ଗ ପିତା ତପ

ପିତୃଲୋକ ଆଲୋକର ପଥ,

ସ୍ଥିତପ୍ରଜ୍ଞ ହୁଅ ପୁତ୍ର ଦୀର୍ଘାୟୁ

ହୁଅ କୀର୍ତ୍ତିଯଶୋବନ୍ତ।


ଯାଅ ବତ୍ସ ! କର୍ତ୍ତବ୍ୟ ପଥ ଉନ୍ମୁକ୍ତ

ହୁଅ ଅଗ୍ରସର,

ସୌଜନ୍ୟତା ଆଚର ସୁନ୍ଦର,

ଅବଦମ ନୀଚ୍ଚପଣ ଅନୀତି

ଅନଧିକାର,

ସ୍ୱାଧୀକାର,ସ୍ୱପ୍ରବେଶ,ସ୍ୱପ୍ରତିଷ୍ଠା

କର ସୁନିଶ୍ଚିତ,

ସୁମଙ୍ଗଳେ ସମୁଚିତେ ସମ୍ଭାଷ ମଧୁର,

ପର ଉପକାର ଏବଂ ଅତିଥିଦେବ ସତ୍କାରେ

ସ୍ୱଉନ୍ନତି ହୋଇଥାଏ

ଉତ୍ତର ଉତ୍ତର ।


Rate this content
Log in

Similar oriya poem from Classics