ସମାପ୍ତି
ସମାପ୍ତି
ଏଇତ ଏବେ ଏବେ ଖେଳୁଥିଲା
ଧୂଳି ମାଟି ଗୋଳି ହୋଇ
ଅଭିମାନର ପିଢ଼ା ପରେ ବସି
ଏଣୁ ତେଣୁ ଗୁଡାଏ ସ୍ୱପ୍ନକୁ ସାଉଁଟି ଆଣି
କିଛି ସାଇତି ରଖୁଥିଲା ତା ଆଶାର ଝୁଲାରେ
ଆଉ କିଛି ଖେଳୁଥିଲା ଫିଙ୍ଗି।
ସଞ୍ଜ ନଇଁଯିବ ବୋଲି ମା' ତା ଡାକୁଥିଲା ଯେତେ
ହେଲେ ହାୟ!
ଧୂଳିଖେଳରେ ଆସକ୍ତ ସେ
ସମ୍ମୋହିତ ହୋଇ
ଭୁଲିଥିଲା ମା'ର ଆହ୍ୱାନ।
ମୋହଗ୍ରସ୍ତ ଚିତ୍ତ ତାର ମାପିପାରିନଥିଲା
ଆୟୁଷର ଦୈର୍ଘ୍ୟ
ସମୟ କିନ୍ତୁ ଭୁଲିନଥିଲା ତା କର୍ତ୍ତବ୍ୟ
ମୁହୂର୍ତ୍ତ ପହଞ୍ଚିଥିଲା ଆଗଣା ମଝିରେ
ସାଉଁଳେଇ ଦେଇଗଲା
ସାରିଦେଇ ଆଗଣାର ଖେଳ।
ବାସ୍ ! ଆଉ କଣ
ପଞ୍ଚଭୂତ ଆନଦିତ ପୁଣି ମିଶି
ପଞ୍ଚଭୂତ ଦେହେ
ଆଉ ନାହିଁ ସବୁ କିଛି ଆଦରି ନେବାର ମୋହ
ନା କିଛି ହାରିଯିବା ପର କୋହ,
ପୁଣି ଏକ ସମାପ୍ତିର ବାର୍ତା
ଓ ଏକ ଅଶରୀରୀ ବିବର୍ତ୍ତନର
ପ୍ରଚ୍ଛନ୍ନ ଆରମ୍ଭ।।