ସଲିଳ ସମାଧି
ସଲିଳ ସମାଧି
କବିତା - ସଲିଳ ସମାଧି
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୧-୨୦୨୬
++++++++++++++++
ବରକୋଳିଆ ଝପେ ବର୍ଷା ପରେ ପରେ
ପାଣିର ସୁଅ ଯେ ଛୁଟିଲା ଦୌଡିଲା
ବିଜୁଳି ବେଗରେ ଆଗକୁ ଧାଇଁଲା
କି ସର୍ପିଳ ବେଗ
କି ଉଜାଣି ପରିବେଗ
ହିଡ଼ ବାଡ଼ ବନ୍ଧ ଡେଇଁ ଗଲା
କି କଳକଳ ଫୁର୍ତ୍ତି ଫୁଟାଣି
କି କନକନ ଗର୍ବ ଗଡାଣି
ବୋଧେ ସୁଧା ସଞ୍ଜିବନି ବର୍ଷା ଦେଲା ଆଣି
ସେହି ପାବାରିଆ ଖରସ୍ରୋତ
ଆଗରେ ଯାଇ
ମିଶିଗଲା ଗୋହିରୀ ନାଲରେ
ପଶିଗଲା
ଗାଁ ପୋଖରୀ ଭିତରେ
ଡରିଗଲା
କଦଳିପତ୍ର ପରି ଥରିଗଲା
କାରଣ
ତାର କୃଶ ଶରୀର ହଜାଇବ ସ୍ବଅସ୍ତିତ୍ୱ
ତାର ଗର୍ବ ଅହଂକାର ହେବ ପଦାନତ
ସଳିଳ ସମାଧି ଲଭିତ ତାର ମହତ ଇଜ୍ଜତ
ପଛକୁ ଫେରି ଚାହିଁଲା
ଭୟଭୀତ କରୁଣାର୍ତ୍ତ ଆଶାନେଇ
ଫେରିବାର ବାଟ ବନ୍ଦ
ଶଙ୍କାୟିତ ମୁଦ୍ରିତ ନୟନ ଦେଇ
କ୍ଷଣିକ ଉତ୍ତେଜନାରେ
ପାଣି ସୁଅଟା
ଭୂଲି ଯାଇଥିଲା ସତ୍ୟ ସନାତନ ଉକ୍ତି
ପାଣିସୁଅ ବହିଗଲେ ଥରେ
ପାଟିରୁ କଥା ପରି
ଧନୁରୁ ତୀର ପରି
ଖଡ଼ାରୁ ବାଟୁଳି ପରି
ପୁଣି ପଛକୁ ଆସିବା ଫେରି
ଘୋର ଅସମ୍ଭବ
ଘୋର ଭୟ ତାଣ୍ଡବ
ଭୟକୁ ଦୂରେଇବ କେମିତି?
ଭୟର ଚେରକୁ ତାଡିବ କେମିତି?
ଭିତ୍ତିପୂର୍ଣ୍ଣ ପରିସ୍ଥିତି ଭିତ୍ତିଶୂନ୍ୟ ହେବ କେମିତି?
କଥାରେ କହନ୍ତି
ଭୟର ଆଗେ ଅଛି ଜୟ
ଭୟର ଆତଙ୍କ ସରିବ ଭାବିଲେ ଅଭୟ
ପାଣିସୁଅ ଭିତରେ ଭିତରେ ଡରୁଥାଏ
ଭାବୁଥାଏ ସମାଧାନ
ପଛକୁ ଫେରିବା ସନ୍ଦିହାନ
ପୁଣି ଭାବିଲା ରିସ୍କ ନେବା ହିଁ ଭଲ
ବିରାଟ ବେଣ୍ଟ ପୋଖରୀ
ଅଥଳ ଥଳ ପାଣି
ଢ଼େଭରେ ଚେଲକାଣି
ଅକାତ କାତ ପାଣି ମାରୁଅଛି ଉଜାଣି
ଖୁସି ମନରେ ବିସର୍ଜିତ ହେବା ହିଁ ପ୍ରମାଣ
ପାଣି ସୁଅ ପୋଖରୀ ପାଣି ସହ ଫେଣ୍ଟି ଯିବା ହିଁ ସତ୍ୟ ସମାଧାନ
ଡ଼ର ଭୟ କିସପାଇଁ
ପାଣି ସୁଅ ବି ବର୍ଷପାଣିର ଗୋଟେ ରୂପ
ପୋଖରୀ ପାଣି ବି ଆକାଶ କନ୍ୟାର ଅନ୍ୟ ପ୍ରାରୂପ
ଦୁହେଁ ବର୍ଷାରାଣୀର ବେନୀ ଦୁହିତା
ମୌକା ମିଳିଛି ଯଦି ହସି ମିଶିଯିବା ବଳିତା ସଳିତା ।
