ବିଭୋର ମୂର୍ଚ୍ଛନା
ବିଭୋର ମୂର୍ଚ୍ଛନା
କବିତା - ବିଭୋର ମୂର୍ଚ୍ଛନା
ରଚନା - ପଞ୍ଚାନନ ଜେନା
ତାରିଖ -୨୬-୦୨-୨୦୨୬
+++++++++++++++
କେବେ କେବେ ନିଜକୁ
କୁମାରପୂର୍ଣ୍ଣମୀ ଜହ୍ନ ପରି
ସଜେଇ ହେବାକୁ
ମନ କହୁଥାଏ
ତାରାଙ୍କିତ ଆକାଶର ଛାତିରେ
ଯେଉଁଠି ରାତିସାରା ଗହରା ପହରା ଦେଉଥାଏ
ନୀଳକଇଁ ପରି ଫୁଟି ଉଠିବାକୁ
ମନ କହୁଥାଏ
ଆଉ କେବେ କେବେ ଗଭୀର ରାତିରେ
ଶୂନ୍ ଶାନ ଶବ୍ଦରେ ସଜେଇ ହେବାକୁ
ନିଷ୍ପାପ ନୀରିହ ଫୁଲକଢ କରି
ମୌନି ରହିବାକୁ
ମନ କରୁଥାଏ
ଫୁଟିବାକୁ ମଧୁର ସୁବାସ ବିତରିବାକୁ
ଜନ ମନ ହରଣ କରିବାକୁ
ପବନ ଦେହରେ ମିଶି ଏକାକାର ହେବାକୁ
ମନ କରୁଥାଏ
ପୁଣି ଆଉ କେବେ କେବେ
ବର୍ଷାର ଟୁପୁର୍ ଟାପୁର୍ ମୂର୍ଚ୍ଛନାରେ
ଭିଜେଇ ଯିବାକୁ
ଆତୁର ଶୁଷ୍କ ମାଟି ମଟାଳ ପାଲଟି ଯିବାକୁ
କାନ ମୂଳେ ଫିସ୍ ଫିସ୍ ଶୁଣିବାକୁ
ଶ୍ରାବଣୀ ଗୋ ମନା କରନା ଆଜି
ଆସିଯାଇଛି ତୁମ ଛତା ତଳେ
ଅଧା ଓଦା ଦେହ ଖର ନିଃଶ୍ୱାସ
କୋଳେଇ ନିଅ ମୋତେ କର ବିଶ୍ୱାସ
ପଲ୍ଲବି ଯାଉ ମୋ ଥୁଣ୍ଟା ଡାଳ ହେନ୍ତାଳ ବନ
ନିରଳସ ଦେହ ମନ ହେଇଯାଉ ପୁଷ୍ପବନ ଐକତାନ
ବିଭୋର ହୁଏ
ସେହି
ଶବ୍ଦାୟିତ ମୁହୁର୍ତ୍ତର କାମନାରେ
ସେହି ଛନ୍ଦାୟିତ ଭାବନାର ବାସନାରେ
ସେହି ଶୁଙ୍ଗାରିତ ଚିନ୍ତନର ମୁର୍ଚ୍ଛନାରେ
ସେହି ପଲ୍ଲବିତ ଚେତନାର ଅର୍ଚ୍ଚନାରେ
