ସ୍ଥିର ସ୍ଥବିର ସ୍ଵର
ସ୍ଥିର ସ୍ଥବିର ସ୍ଵର
କବିତା - ସ୍ଥିର ସ୍ଥବିର ସ୍ୱର
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୨-୨୦୨୬
+++++++++++++++++
ଆମ୍ବ ବଉଳକୁ ଦେଖୁ ଦେଖୁ ପଚାରି ଦେଲି
କିଏ ତୋତେ ଶିଖେଇ ଦେଲା
ମୁକୁଳା ପୁଙ୍ଗୁଳା ଉଛୁଳା ହସ
ଫଗୁଣେ ବିଞ୍ଚିବାକୁ ଫଗୁ ସୁବାସ
ଝରିଗଲେ ବି ଉଦାର
ଜଳିଗଳେ ବି ଗମ୍ଭୀର
ଆଜି ବି
ସ୍ଥିର ସ୍ଥବିର ଅମୀମାଂସିତ ସ୍ୱର
ପଳାସ ଫୁଲକୁ ଦେଖୁ ଦେଖୁ ମୁରୁକି ଦେଲି
କିଏ ତୋତେ ଏତେ ନାଲି ରଙ୍ଗ ଦେଲା
ନୀରବେ ଗରବେ ସରବେ ଖେଳେଇ
ତରଙ୍ଗେ ଉମଙ୍ଗେ ସର୍ବାଙ୍ଗେ ଗୋଳେଇ
ବାସହୀନ ହେଲେ ବି ସ୍ଥିତପ୍ରଜ୍ଞ ସମ୍ଭାର
ବୃନ୍ତଚ୍ୟୁତ ହେଲେ କାଳବୈଶାଖିରେ ବି
ପତିତ ବିଜ୍ଞ ପ୍ରବର
ଆଜି ବି
ସ୍ଥିର ସ୍ଥବିର ଅମୀମାଂସିତ ସ୍ୱର
ବାଲିଘାଟ କଡ଼େ ମୁଣ୍ଡଜାକିଥିବା ବାଲିଗରଡ଼ାକୁ ଛୁଇଁ ଦେଲି
ହାତରେ ଉଠାଉ ଉଠାଉ ମୁଠାଉ ମୁଠାଉ ଆଖି ମାରିଦେଲି
ନିରାଶାର ବାଳିଚରେ ଆଜନ୍ମ ବ୍ରହ୍ମଚାରୀ
ନିଶାର୍ଦ୍ଧରେ କୋରାହୁଏ ନଈଗର୍ଭ ଚିରି
ବେଳାଭୂମୀ ଦିଶିଲାଣି ଶୂନ୍ୟଗର୍ଭା ହତଶିରି
ବନ୍ଦ କାହିଁ କରୁନ ବାଲି ଗଢ଼ିବାର ଫେକ୍ଟ୍ରୀ
ଉଜ୍ଜଳ କଜ୍ଜଳ ଧାର ପରି ନୀରବ ଗହ୍ୱର
କେଇ ଟୋପା ଲୁହ ଗଡାଏ ମା' ନଈ ପରି କୃଶନୀର
ଆଜି ବି
ସ୍ଥିର ସ୍ଥାବର ଅମୀମାଂସିତ ସ୍ଵର
ଶିଳାଲିପିର ଭଗ୍ନଶିଳା ଖଣ୍ଡକୁ ଦଣ୍ଡବତ ହେଉ ହେଉ
ଐତିହାସିକର ଇଚ୍ଛା ନେଇ ଚକାପାରି ବସିଗଲି
ଏତେ ଯାତନା ନିର୍ଯ୍ୟାତନା ସହିଲୁ କେମିତି
ଏତେ ଘଟଣା ଦୁର୍ଘଟଣାକୁ ବାନ୍ଧିଲୁ କେମିତି
ଏତେ କାହାଣୀ ସାହାଣୀ ପର୍ବାଣୀ ପାଳିଲୁ କେମିତି
ଅତୀତର ଜ୍ବାଳା ସହି ବି ନୀରବ ଧୀର
ଧଂସଲୀଳାର ତାଣ୍ଡବ ସହି ବି ଦଣ୍ଡାଧାର
ଗର୍ବେ ଲେଖି ରଖିଛି ଇତିହାସ ପ୍ରସ୍ତରେ ଗାର
ଆଜି ବି
ସ୍ଥିର ସ୍ଥବିର ଅମୀମାଂସିତ ସ୍ୱର
