ସକଳ ଜୀବରେ ବ୍ରହ୍ମ
ସକଳ ଜୀବରେ ବ୍ରହ୍ମ
ସକଳ ଜୀବ ରେ ନିହିତ ରହିଛି
ବ୍ରହ୍ମ ଆତ୍ମା ସ୍ୱରୂପ ରେ
ସକଳ ଜୀବ ଜଗତ ଆତଯାତ
ପରମାତ୍ମା ନିର୍ଦ୍ଦେଶରେ
କାଷ୍ଠ ପାଷାଣ ତରୁ ତୃଣ ଦେହରେ
ବ୍ରହ୍ମ ସତ୍ତା ଅଛି ରହି
ସୁକ୍ଷ୍ମକଣିକା ରୂପରେ ବିଦ୍ୟମାନ
ନିଗୂଢ଼ ରହସ୍ୟ ସେହି
କୁକୁର , ମାଂସାହାରୀ ଚଣ୍ଡାଳ,ଗାଈ
ପୁଣି ବ୍ରାହ୍ମଣ ଓ ହାତୀ
ବାସ୍ତବିକ ପଣ୍ଡିତ ଜ୍ଞାନ ଚକ୍ଷୁରେ
ସମ ଦୃଷ୍ଟିରେ ଦେଖନ୍ତି
ଦିବ୍ୟ ଜ୍ଞାନ ପ୍ରାପ୍ତି ହେଲା ପରେ
ବିନୟ ଭାବ ଉତ୍ପନ୍ନ
ଦିବ୍ୟ ଗୁଣ ଯୁକ୍ତ ଭାବରେ ସକଳ
ପ୍ରାଣୀ ସମ ଭାବାପର୍ଣ୍ଣ
ସାଧାରଣତଃ ସମ୍ମାନ ର ଯୋଗ୍ୟ
ଏକ ବେଦଜ୍ଞ ବ୍ରାହ୍ମଣ
ଜଣେ କୁକୁର ମାଂସଭୋଜୀ ପ୍ରାୟତଃ
ଖୋଲା ଖୋଲି ଭାବେ ଘୃଣ୍ୟ
ଯେଉଁ ପରି ଗାଈ ଠାରୁ ଦୁଗ୍ଧ ଲାଭ
ସେପରି କୁକୁର ନୁହେଁ
ଉତ୍ସବ ଓ ଶୋଭା ଯାତ୍ରା ବେଳେ ହାତୀ
ଗାଈ ବା କୁକୁର ନୁହେଁ
ଶାରୀରିକ ଦୃଷ୍ଟିକୋଣରୁ ଭିନ୍ନତା
ହୁଅଇ ପରିଲକ୍ଷିତ
ସମସ୍ତଙ୍କୁ ଶାଶ୍ୱତ ଆତ୍ମା ରୂପରେ
ଦେଖନ୍ତି ଜ୍ଞାନୀ ପଣ୍ଡିତ
ବ୍ରାହ୍ମଣ ଓ ଶୁଦ୍ର ମଧ୍ୟେ ଉଚ୍ଚ ନୀଚ
ବେଦ କହୁନି ଏ କଥା
ନିଜ ନିଜ ବୃତ୍ତି ଭିତ୍ତିକ କାର୍ଯ୍ୟରେ
ଅଛି ପ୍ରାୟ ନିପୁଣତା
ବ୍ରାହ୍ମଣ ପୂଜାଦି କ୍ଷତ୍ରିୟ ଶାସନ
ନିଜ କ୍ଷେତ୍ରେ ନିୟୋଜନ
ବୈଶ୍ୟ ବ୍ୟବସାୟ ଶୁଦ୍ର ଶ୍ରମଦାନ
ଯେ ଯାହା କର୍ମେ ନିପୁଣ
ଜ୍ଞାନ ଦୃଷ୍ଟିରେ ଲକ୍ଷ୍ୟ କରିଲେ ସ୍ପଷ୍ଟ
ସର୍ବ ଆତ୍ମା ଚିରନ୍ତନ
ସଭିଏଁ ପରମାତ୍ମା ଙ୍କ କ୍ଷୁଦ୍ର ଅଂଶ
ତେଣୁ ସମସ୍ତେ ସମାନ
ବ୍ରହ୍ମ ଆତ୍ମା ଜ୍ଞାନ ପୁଣି ଦିବ୍ୟଜ୍ଞାନ
ବୁଝି ଅବୁଝା ଲାଗୁଛି
ସବୁ କିଛି ଜ୍ଞାତ ଥାଇ ସମାଜରେ
କିମ୍ପା ଜୀବ ହତ୍ୟା ଅଛି!
ସକଳ ଜୀବ ରେ ଯଦି ଅଛି ବ୍ରହ୍ମ
ମାଂସ କିମ୍ପାଇ ଭକ୍ଷଣ
ଶ୍ରେଷ୍ଠ ଜୀବ ଏ ମଣିଷ ସମାଜରେ
ଜୀବ ହତ୍ୟା ପ୍ରତି କ୍ଷଣ
ଧର୍ମ ନାମେ ହିଂସା ପୁଣି ରକ୍ତପାତ
ନର ହତ୍ୟା ବି ହେଉଛି
ସର୍ବ ଦେହେ ବ୍ରହ୍ମ ରହି ଥିବା କଥା
କିଏ ଲକ୍ଷ୍ୟ କରୁଅଛି??
ପଥର ଦେହରେ ଜୀବ ନ୍ୟାସ ହୁଏ
ରହୁ ବା ନ ରହୁ ପ୍ରାଣ
ପ୍ରାଣ ପ୍ରତିଷ୍ଠାରେ ଯଦି ପ୍ରାଣ ଆସେ
ମୃତକ ଲଭୁ ଜୀବନ
ସଭ୍ୟତାର ଚରମ ସୀମାରେ ଅଛି
ଆଜି ମଣିଷ ସମାଜ
ପଣ୍ଡିତଃ ସମଦର୍ଶିନଃ ନୀତିବାଣୀ
କିଏ ହେବ ସଜ ବାଜ??
