ସିଂହ ଦୁଆର
ସିଂହ ଦୁଆର
ତୋ ସିଂହ ଦୁଆରେ ଅଟକିଛି ପାଦ
ଆଗକୁ ଯାଉନି ମୋର
ନୀଳଚକ୍ର ତୋର ଦିଶୁଛି କାଳିଆ
ବାନା ଉଡେ ଫରଫର ।
ଅରୁଣ ସ୍ତମ୍ଭ ତୋ ଦେଖୁଛି ନୟନ
ମନରେ ଅନେକ କୋହ
ଛାତିରେ ଭରିଛି ଅସହ୍ୟ ଯନ୍ତ୍ରଣା
ଆଖିରୁ ଝରଇ ଲୁହ ।
ମନେ ପଡେ ଆଜି ଭକ୍ତ ସାଲବେଗ
ଡାକ ଶୁଣିଲୁ କର୍ଣ୍ଣରେ
ଅଟକିଲା ରଥ ଆହେ ଜଗନ୍ନାଥ
ତୋର ସେ ବଡ ଦାଣ୍ଡରେ ।
ଆରୋଗ୍ଯ କରିଲୁ ଧ୍ବଜା ଉଡାଇଲୁ
ନୀଳ କନ୍ଦରରେ ତୋର
ଦାସିଆ ବାଉରୀ ବିଶ୍ୱାସ ରଖିଲୁ
ନଡିଆକୁ ନେଲୁ ତାର ।
ବନ୍ଧୁ ମହାନ୍ତିର ବନ୍ଧୁତ୍ବ ରଖିଲୁ
ସିଂହଦ୍ବାର ଡେଇଁ ଗଲୁ
ନିଜେ ତୁ ଉପାସ ରହିଣ କାଳିଆ
ଭକତକୁ ଖୁଆଇଲୁ ।
ହେଲେ ତୋର କେଉଁ ଦୋଷ ମୁଁ କରିଲି
ମୋ ପାଇଁ ମନ୍ଦିର ମନା
ଗରିବ ଟିଏ ମୁଁ ବୋଲିରେ କାଳିଆ
ଦେଖାଉ କେତେ ବାହାନା ।
ଛଳନା ଅନେକ କରୁଛୁ କାଳିଆ
ବଡ ଦେଉଳରେ ବସି
ସବୁ ଦୋଷ ମୋର ମଥାରେ ଲଦି ତୁ
ଭାବିଛୁ ଯିବୁ କି ଖସି ।
ସତ ମୁଁ କହୁଛି ନା ଏଠୁ ଯାଊଛି
ନ ଦେଲା ଯାକେ ଉତ୍ତର
କେଉଁ ଅପରାଧେ କଳଙ୍କ ବୋଳିଣ
ଭାଙ୍ଗି ଦେଲୁ ଶଙ୍ଖା ମୋର ।
କିବା ଭକ୍ତି ମୋର ଊଣା ହୋଇଗଲା
କିବା ଶକ୍ତି ନାହିଁ ତୋର
କିବା ମୋ କପାଳ ଫଟା ହୋଇଥିଲା
ଲିଭିଲା ମଥା ସିନ୍ଦୂର ।
ଯଦି ତାହା ଥିଲା ତୁ ଜାଣି ଥିଲୁ
କାହିଁକି କରିଲୁ ଖେଳା
ବଡ ଦିଅଁ ବୋଲି ବଡ ନାଆଁ ପାଇଁ
ମିଛେ ଲଗେଇଲୁ ଲୀଳା ।
ସେ ଲୀଳାରେ ମୋତେ ବଳି ପକେଇଲୁ
କାହିଁକି କଳା ଠାକୁର
ରତ୍ନ ସିଂହାସନେ ବସିଛୁ କାଳିଆ
ହସ ତୋ ରଙ୍ଗ ଅଧର ।
ତୁରେ ହସୁଛୁ ତୋ ବଡ ଦେଉଳେ
ଭାଇ ଭଉଣୀଙ୍କୁ ଧରି
ଦୋ ଛକି ରାସ୍ତାରେ ମୋତେ ଛିଡା କଲୁ
ନା ହେଲି ଆଜି କାହାରି ।
ତୋତେ ମୁଁ ଭରସା ବିଶ୍ୱାସ କରିଲି
ବିଶ୍ଵାସେ ଭରିଲୁ ବିଷ
ଛଡେଇ ନେଲୁ ତୁ ମୋ ଓଠର ହସ
କରି ଦେଲୁ ସର୍ବନାଶ ।
ନିଜକୁ ତୋ ପାଦେ ସମର୍ପି ଦେଇରେ
ଥିଲି ମୁଁ କେତେ ଖୁସିରେ
ଏତେ ବଡ ଧୋକା କାହିଁକି ଦେଲୁ ତୁ
ତୋତେ ମୁଁ ଆଜି ପଚାରେ ।
ବସିଲି କାଳିଆ ତୋ ସିଂହ ଦୁଆରେ
କେବେ ମୁଁ ହଟିବି ନାହିଁ
ଲିଭି ଯାଉ ପଛେ ଏ ପାପୀ ଜୀବନ
ତୋର ନୀଳଚକ୍ର ଚାହିଁ ।
ସେତିକିରେ ମୁକ୍ତି ହୋଇବି ଶ୍ରୀପତି
କିଛି ଲୋଡା ନାହିଁ ମୋର
ଜାଣି ମୁଁ ସାରିଛି ପାରିବୁନି ତୁହି
ଲିଭେଇ କଳଙ୍କ ଗାର ।
ଶେଷଥର ପାଇଁ କରିଛି ଭରସା
ଏତିକି ସୁଦୟା କର
ଏ ଜୀବନ ଯାଉ ତୋ ବଡ ଦାଣ୍ଡରେ
ଦେଖୁ ତୋ ସିଂହ ଦୁଆର ।।