STORYMIRROR

Goutam Mohanty

Romance Tragedy

3  

Goutam Mohanty

Romance Tragedy

#ସୀତାରୋଁ_ମେଁ_ଲେ_ଚଲୁଁ..!

#ସୀତାରୋଁ_ମେଁ_ଲେ_ଚଲୁଁ..!

2 mins
165


ତୁମେ ହୁଏତ ଭୁଲି ଯାଇଥିବ

ଆମ ଦୁହିଁଙ୍କ ଛୋଟ ଦୁନିଆଁର

ପ୍ରିୟ ସମୁଦ୍ର ଓ ତା' ଧାରରେ

ଆମ ଦୁହିଁଙ୍କ ଅଙ୍ଗେନିଭା କଥା...

ଯେଉଁଠି ସାନ୍ଧ୍ୟରାଗର ଲହଡ଼ିରେ

କେତେଥର ଆତ୍ମହରା ହୋଇ

ନିଜକୁ ଭୁଲିଥିଲି ମୁଁ

ଶୁଣି ତୁମ ପ୍ରଗଳ୍ଭ ଓଠର ଏଣୁ ତେଣୁ କଥା...


ତୁମ ଲାସ୍ୟମୟୀ ମୁଖର ଖିଲିଖିଲି ହସ

ଏଇ ହାତରେ କେତେଥର ନ'ସଜାଡ଼ିଛି କୁହ

ଜୁଆରିଆ ହାୱାରେ ଅସ୍ତବ୍ୟସ୍ତ

କୃଷ୍ଣ-ବାଦାମୀ ରଙ୍ଗର ସାମ୍ପୁ କରା

ଆସନ୍ନ ମେଘ ସଦୃଶ ତୁମ ଅଲରା କେଶ...

ଏ ସବୁଥିରୁ କେତେ ଥର ନ' ଖୋଜିଛି କୁହ

ଈଶ୍ଵରଙ୍କ କମନୀୟ କମ୍ପୋଜର ମୂର୍ଚ୍ଛନା

ତୁମ ପସନ୍ଦର ସର୍ବକାଳୀନ ସେହି ଶ୍ରେଷ୍ଠଗୀତ..!


ସତରେ ମୁଁ ଖୁବ ଭଲପାଉଥିଲି ତୁମକୁ

ଅନେକ ଥର କହିଥିଲି ସାଥୀ

ତୁମେ ବି ତ ଭଲ ପାଇଥିଲ ମୋତେ

ଏ କଥା କଣ ମିଛ ଥିଲା କି ..?


ସାନ୍ଧ୍ୟ ବେଳାର ଉପକ୍ରମିତ ଲହଡ଼ି

ଯାହାଥିଲା କେବେ ମୋର ଖୁବ ପ୍ରିୟ

ମୁଁ ଏବେ ସେଇଠି ବସିଛି, ଅଥଚ...

ଆଜି କିନ୍ତୁ ମନରେ ମୋର ଖୁବ ଭୟ...


ସେ ଲହଡ଼ି କାଳେ ଏଇ ମୁହୂର୍ତ୍ତରେ

ମୋ କାନରେ ଏବେ ଗାଇଯିବ

ତୁମଠାରୁ ଶିଖିଥିବା ସେଇ ଗୀତ...

ଯାହା କେବଳ ଗୁଣୁଗୁଣେଇବାରେ

ରହିଯାଇଛି ସୀମିତ...!

ଯେଉଁ ଗୀତରେ ଥିଲା ପ୍ରବଣତା, ଆଉ

ପ୍ରେମମୟ ସ୍ୱର୍ଗ ତୋଳିବାର ପ୍ରତିଶ୍ରୁତି

ବୁଝିସାରିଛି ଏବେ,

ସେ ସବୁ ଥିଲା କେବଳ

ମିଛ ଆତ୍ମୀୟତାର ଛନ୍ଦାଛନ୍ଦି ଶବ୍ଦ..!


ଭିତରେ ମୋର ସଂକ୍ରମିତ ଘା'

ଏବେ ଆଉ ଶୁଖୁନାହିଁ ସେ କ୍ଷତ...

ଭୁଲିପାରୁ ନାହିଁ ବିଦାୟ ବେଳାର

ତୁମ ଶବ୍ଦରେ ସେ ବିଦ୍ରୁପ

  : '"କାହିଁ ଉପରେ କଣ୍ଟା ଫୁଟିନି ତ..!'"


ବିଦାୟ ବେଳାରେ

ଜରୁରୀ ଥିଲା କି ତୁମ ଓଠରେ ଏମିତି ତାତ୍ସଲ୍ୟ..?


ବିଦାୟ ମୋର ଅନ୍ତରଙ୍ଗ ସମୁଦ୍ରକୂଳ...

ବିଦାୟ ହେ ମୋର ପ୍ରିୟ ଲହଡ଼ି...

ମିଛ ସାକ୍ଷୀଟିଏ ପରି

ଏବେ ମୋତେ ତୁମେ ଭୁଲିଯାଅ

ଆଉ କେବେ ଗାଇବନାହିଁ ସେ ଗୀତ...

ବିଦାୟ ବେଳାର ଏଇ ମୋର ଛୋଟ ଅନୁରୋଧ ।

××××

××

×

ସମୟ ସନ୍ଧ୍ୟା ସାତଟା...

ଚା' ଦୋକାନର ନୁଆଁଣିଆ ଚାଳ ତଳେ

ଏଫ୍ଏମ୍ ରେଡ଼ିଓ ଆଜି ଗାଇବ ନିଶ୍ଚୟ

ଗୋଟିଏ ବିଶେଷ ଫର୍ମାଇସ୍ ର ଗୀତ

ହଁ ମୋତେ ସେଇଠି ଚଞ୍ଚଳ ପହଞ୍ଚିବାକୁ ହେବ...


କାହାକୁ ମୁକ୍ତି ଦେବାର ପ୍ରତିକ୍ଷାରେ

ମୋ ସାମ୍ନାରେ ପରିଚିତ ସେଇ ନୁଆଁଣିଆ ଚାଳ

ଆଜି ଅପୂର୍ବ ମୁକ୍ତିର ମଣ୍ଡପଟିଏ ଦିଶୁଥାଏ...


ଭିତରେ କୋଣ ପଟେ ମୁଁ ଏବେ

କାନରେ ବାଜୁଥାଏ ସବୁ ଦିନର ମତାଣିଆ ଗୀତ

ଆଜି କିନ୍ତୁ ସେ ସବୁ ଭଲ ଲାଗୁନ'ଥାଏ...

ଗୋଟିଏ ହାତରେ ମୋର ଚା' କପ

ଅନ୍ୟ ହାତରେ

ମୁକ୍ତିର ନିଶ୍ଚିତ ଆଶ୍ୱାସନା ଭରା

ଗୋଟିଏ ଖୁଦ୍ର ପ୍ୟାକେଟ...


ଈଶ୍ୱରଙ୍କର ବି ଇଚ୍ଛା ଥିଲା ନିଶ୍ଚୟ

ଶେଷ ହେଉ ମୋର ଯନ୍ତ୍ରଣା

ଠିକ ସେତିକିବେଳେ

ଷ୍ଟେସନରେ ବାଜିଉଠୁଥିଲା ମୋ ଫର୍ମାଇସ୍ ଧୁନ୍

ଦେଖାଣିଆ ଆବିଳତାର ସେଇ ଗୀତ 

ଯାହା ତୁମ ଚିରକାଳର ପସନ୍ଦ..!


ହସିହସି ଚା'କପ ରେ ମିଶୁଥିଲା ମୁକ୍ତିର ଆଶ୍ୱାସନା

ତୁମେ ମୋତେ କୋଳେଇ ନେବାର

ସମ୍ଭାବ୍ୟ କୋଳେଇବାର ଖୁସିରେ

ଆଖିରେ ମୋର ଦୁଇଟୋପା ଲୁହ

ଭିତରର କ୍ଷତ ମୋର

ଆସ୍ତେ ଆସ୍ତେ ଭରି ଆସୁଥିଲା

ମୋକ୍ଷର ରାସାୟନିକ ଇକ୍ୟୁଏସନ୍ ରେ.....!


ଅନ୍ଧାର ଆକାଶରେ ତାରାଙ୍କ ମେଳଣ

ମେଞ୍ଚାଏ ବାଦଲରେ ସ୍ୱର୍ଗର ସହର

ତୁମ ମୁଖମଣ୍ଡଳରେ ମହୁଆ ହସ

ନୀଳ ଆଖିର ଇସାରାରେ ଡାକୁଥାଅ ମୋତେ

ସମ୍ମୋହନୀୟ ଅଙ୍ଗଭଙ୍ଗୀରେ ଅଳସକୁ ଫିଙ୍ଗି

ଜହ୍ନର ତାରକସି ଲଗା ବିଛଣାରେ...


ହାୟ...କେତେଦିନର ବିରତି ପରେ

ଲାଗୁଥିଲା ଖାସ୍ ମୋ ଲାଗି ତୁମେ ଆସିଛ

ଏ ଲାଇଭ୍ ପର୍ଫମାନ୍ସରେ...!

ତୁମ କଣ୍ଠରେ

ଆଃ... କି... ନିଶାଳିଆ ସଙ୍ଗୀତ

ପୂର୍ବର ସମୁଦ୍ରକୂଳରୁ ଆଜିର ଚା' ଦୋକାନ ପର୍ଯ୍ୟନ୍ତ

ଏବେ ହିଁ ବାଜୁଥିବା ମୋ ଫର୍ମାଇସ୍ ର

ତୁମ ସେଇ ସର୍ବକାଳୀନ ପସନ୍ଦ...।


"ଆଓ ହଜୁର୍ ତୁମ୍ କୋ ସୀତାରୋଁ ମେଁ ଲେ ଚଲୁଁ"...

"ଆଓ ହଜୁର୍ ତୁମ୍ କୋ..."


ଆଜି ବି ତୁମକୁ ପଚାରିବାକୁ ଇଚ୍ଛା ଥାଏ

ତଥାପି ପୂର୍ବଭଳି ପ୍ରଶ୍ନଟି ପଚାରି ପାରୁନ'ଥାଏ

କହିଲ ସାଥୀ...

ସତରେ ଆକୁଳତା ଟିକକ

ଗୀତରେ ଥାଏ ନା ମନରେ ଥାଏ..?


ଚା' ଦୋକାନର

ସେଇ ନୁଆଁଣିଆ ଛାତ ତଳ ଠଣାରେ

ଏବେ ବି ସେଇ ଗୀତ ରେଡ଼ିଓରେ ବାଜୁଥାଏ...

ଅଥଚ ମୁଁ ନ'ଥାଏ..!

ଆଉ ପ୍ରେମ ବି ନ' ଥାଏ..!

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance