ତୋ ମନ ବଗିଚାରେ ମୁଁ
ତୋ ମନ ବଗିଚାରେ ମୁଁ


ଫୁଲଟିଏ ବୋଲି ଭାବିଥିଲି ତୋତେ
ଭାବିଲି ତୋଳିବି ଦିନେ
ତୋତେ ଦେଖୁଥିଲି ଅନେକ ଦୂରରୁ
ଖୁସି ହୋଇ ମନେ ମନେ ।
ଭଅଁର ସାଜିଲି ତୋ ପାଇଁ ସଖୀ ଲୋ
ବଗିଚାରେ ଗଲି ପଶି
ସେଠାରେ ଦେଖିଲି ଅନେକ ଭଅଁର
ମୁଦି ଦେଇଛନ୍ତି ଆଖି ।
ମୃତ୍ୟୁର କାରଣ ଖୋଜିବାକୁ ଗଲି
ସଭିଏଁ କହିଲେ ବିଷ
ମିଡିଆ ଆଗରେ ଖୋଲି କହିଥିଲେ
ପ୍ରେମିକ ସେ ପଳାତକ ।
ନିରେଖିଲି ଯେବେ ମୃତ ଭଅଁର ଙ୍କୁ
ଦେହରେ ନଥିଲା କ୍ଷତ
ହୃଦୟ ଦେଖିଲି ପ୍ରେମ ଶୂନ୍ୟ ଥିଲା
ପାଶବିକତାର ଛାପ ।
ତୋ ବିଷ ଜ୍ୱାଳାରେ ମରି ପଡିଛନ୍ତି
କାମାତୁର ଥିଲେ ଯେତେ
ଦୂର୍ଗା ରୂପେ ଦେଖି ତୋ ରୂପକୁ ସଖୀ
ଶରଣ ପଶିଲେ ତୋତେ ।
ତୋ ପାଖରେ ଥାଇ ଦେଖୁଥିଲି ତୋତେ
କହିଲି ଧନ୍ୟ ତୁ ନାରୀ
କିଏସେ ଗଢ଼ିଲା ତୋ ରୂପ ମାଧୁରୀ
ବିଚିତ୍ର ସେ କାରିଗରୀ ।
ହସିଦେଲୁ ସଖୀ ମୋ ମୁହଁକୁ ଚାହିଁ
ମନ ଭରି ଗଲା ମୋ'ର
ଦଂଶନର କ୍ଷତ ନାହିଁ ମୋ ଦେହରେ
ପ୍ରେମଟି ଲାଗେ ମଧୁର