ସୀତାଙ୍କ ଅନ୍ତର୍ବେଦନା
ସୀତାଙ୍କ ଅନ୍ତର୍ବେଦନା
କୁହ କୌଶଲ୍ୟା ତନୟ,
କୁହ ତୁମେ କରିଛ କି ନ୍ୟାୟ!
କୁଳବଧୂ କରିଯେବେ ଆଣିଥିଲ ମୋତେ,
ରାଜ୍ୟରାଣୀ ହେବି ସ୍ବପ୍ନ ଦେଖିଥିଲି ସତେ !
କରାଳ ସେ କାଳରାତ୍ରୀ ସବୁ ସାରିଦେଲା,
ରାଜା ହେବା ଲୋକଟି ଯେ ବନବାସ ଗଲା।
କରିନାହିଁ ପ୍ରତିବାଦ ସବୁଗଲି ସହି,
ପତ୍ନୀ ଧର୍ମ ପାଳି ପୁଣି ବନ ଗଲି ମୁହିଁ ।
କୁରଙ୍ଗୀକୁ ପ୍ରେରି ସେହି କପଟି ରାବଣ ,
ଭଗ୍ନୀ ପ୍ରତିଶୋଧେ ମୋତେ କରିଲା ହରଣ।
କଷ୍ଟ କେତେ ସହି ଯେବେ ଉଦ୍ଧାରି ଆଣିଲ,
କଳଙ୍କିନୀ କହି କିଆଁ ବନରେ ଛାଡିଲ ?
କାହିଁ ଗଲା ସ୍ୱାମୀ ତୁମ ମଣିଷ ପଣିଆ ,
ଗର୍ଭବତୀ ଜାଣି ପୁଣି କଲ ଏକୁଟିଆ !
ଲବ କୁଶ ଜନମିଲେ ରୁଷି ଆଶ୍ରମରେ,
ରାଜା ପୁତ୍ର ବଡ ହେଲେ ବନ ଜଙ୍ଗଲରେ !
କି ସୁଖ ପାଇଲି ରାମ ପତି ରୂପେ ବରି,
ଛାଡିଲ ଏକା ମୋତେ କାଙ୍ଗାଳିନୀ କରି।
କୁହ ମୋତେ ଆହେ ପ୍ରଭୁ ଅଯୋଧ୍ୟା ନରେଶ,
କେମିତି ବୋଲାଅ ତୁମେ ମର୍ଯ୍ୟାଦା ପୁରୁଷ?