ସୀମନ୍ତ ସିନ୍ଦୂର
ସୀମନ୍ତ ସିନ୍ଦୂର
ନାରୀ କପାଳର ଗର୍ବ ଗୌରବ ତା'
ମଥାର ଟୋପେ ସିନ୍ଦୂର
ସେ ଟୋପେ ସିନ୍ଦୂର ପାଇଁ ନାରୀଟିଏ
ଦିଶୁଥାଏ ଭାରି ସୁନ୍ଦର ।
ଅଲିଅଳି କନ୍ୟା ସାଜେ ବାପ ଘରେ
ମଥାରେ ଟିକିଲି ନାଇ
କନ୍ୟାରୁ କନିଆ ସାଜିଥାଏ ଯେବେ
ସିନ୍ଦୂର ତା' ଲୋଡା ଥାଇ ।
ସୀମନ୍ତଟି ତା'ର ଖାଲି ପଡ଼ିଥାଏ
ଯେବେ ଝିଅ ସିଏ ଥାଏ
ବେଦୀର ଉପରେ ବରଟି ତାହାର
ସୀମନ୍ତେ ସିନ୍ଦୂର ଦିଏ ।
ସିନ୍ଦୂର ନାଇ ସେ ସୀମନ୍ତିନୀ ସାଜି
ସାତ ଫେରା ସାଥେ ନିଏ
ସାତ ଜନମର ସାଥୀ ହେବା ପାଇଁ
ବଚନଟି ଦେଇଥାଏ ।
ଦୁଃଖର ସୁଖର ସାଥୀ ତା'ର ହୁଏ
ଛାଇ ପରି ସାଥେ ରହେ
ଯେତେ ଦୁଃଖ କଷ୍ଟ ଆସୁ ତା' ଜୀବନେ
ହସି ହସି ସିଏ ସହେ ।
ସବୁ ବିପଦରୁ ରକ୍ଷା କରୁଥାଏ
ସାଜି ତା'ର ଅର୍ଦ୍ଧାଙ୍ଗିନୀ
ହୃଦୟ ଯନ୍ତ୍ରଣା ସବୁ ସେ ଭୁଲାଏ
ସାଜି ପ୍ରେମ ପାଗଳିନୀ ।
ବାପ ଘରୁ ଆସେ ସବାରୀରେ ସିଏ
ଆଖିଏ ସପନ ନେଇ
ଶେଷ ସମୟରେ ସୀମନ୍ତିନୀ ସାଜି
ଯାଏ ସେ ମଶାଣୀ ଭୂଇଁ ।
ସୀମନ୍ତେ ସିନ୍ଦୂର ସୁରକ୍ଷାର ପାଇଁ
କେବେ ଦୁର୍ଗା ସାଜିଥାଏ
ଏ ଟୋପେ ସିନ୍ଦୂର ନାରୀର ଜୀବନ
ତା' ପାଇଁ ଜୀବନ ଦିଏ ।
ସିନ୍ଦୂରର ବିନା ନାହିଁ ନାରୀ ଗତି
ସୁହାଗିନୀ ସେ ବୋଲାଏ
ମରଣକୁ ତା'ର ଟିକେ ଭୟ ନାହିଁ
ସିନ୍ଦୂରକୁ ଭଲପାଏ ।
ଏ ସିନ୍ଦୂର ନାଇ ସୀମନ୍ତିନୀ ହୋଇ
ମଶାଣୀ ଜୁଇରେ ଶୁଏ
କେତେ ଖୁସି ହୋଇ ସ୍ମୃତି ସେ ପାଲଟେ
ମୁଠାଏ ପାଉଁଶ ହୁଏ