ସ୍ଵୀକାରୋକ୍ତି
ସ୍ଵୀକାରୋକ୍ତି
ମୁଁ ରହୁଥିବା ସହରରେ ଆଜି ତୁହାକୁ ତୁହା ବର୍ଷା ।
ଆକାଶଟା ମୁହଁ ଓହଳେଇ ବସିଛି ଅନ୍ଧାରରେ,
ରୁଷିଥିବା କୋଉ ରାଜପୁତ୍ର ପରି ।
ମନ୍ଦିର ବାହାରିଥିଲି ।
ବାହାରିତ ନଥିଲି, ବାହାରିବି ବାହାରିବି ହେଉଥିଲି ।
ଗତ ରାତିରୁ ଭାବିଥିଲି, ଏଠି ନା ନଦୀ ଅଛି ନା ନାଳ !
ସକାଳେ କିଛି ନହେଲେବି ମନ୍ଦିରତ ନିଶ୍ଚୟ ଯିବି ।
ସକାଳ ହେଲା,ଭାବିଲି ସନ୍ଧ୍ୟାରେ ଯିବି ।
ସତ କହିବି ?
ହଁ, ବେଳେବେଳେ ସତ କହିଲେ କ୍ଷତି କ'ଣ ଯେ ?
କେହି କ'ଣ ଫାଶି ଦେବ ମୋତେ ?
ବେଶି ବେଶୀରେ ଟିକେ ଭୁଟ୍ ଭାଟ୍ କେଡ଼େ ପାପୀଟିଏ, ଏଇଆତ !
ଯେଉଁ ସତ ଈଶ୍ୱର ଦେଖୁଛନ୍ତି,
ସେଥିରୁ,କିଛି ଖୋଲିଦେବାରେ ସଙ୍କୋଚ କ'ଣ ଯେ !
ପୋଷାକ ତଳର ବାକି ଜିନିଷ ସଭିଙ୍କର ଏକା ପରି,
ମନଟା ବି ଏକା,
ପାପ ଏକା,
ପ୍ରେମବି ଏକା !
ସବୁ ଦେଖେଇ ହୁଏନା,
ଯେତିକି ଦେଖେଇ ହୁଏ,
ସେତିକି ନଦେଖେଇ ମଣିଷ ରହି ପାରେନା !
ସତରେ, ମନ୍ଦିର ଯିବାକୁ ମୋର ଟିକେବି ଇଛା ନଥିଲା ।
ଏମିତି ତ ଅନେକ କଥାକୁ ଇଛା ହୁଏନାହିଁ ଆଜିକାଲି !
ତେଣୁ ବର୍ଷା ଦେଖି ମୁଁ ଖୁସି ହେଉଥିଲି ମନେ ମନେ ।
ମୋ'ହେତୁ ହେବା ଦିନୁ ଯଦିଓ ଏହା ଥିଲା ବିରାଟ ବ୍ୟତିକ୍ରମ ।
ଜାଣିନି କାହିଁକି ଇଞ୍ଚେବି ଟଳିଲାନି ମନ ନିଜ ଅଟଳ ପଣରୁ ?
ବର୍ଷ ସାରା ପାପରେ ଘାଣ୍ଟି ହେଇଥିବା ମନ ଆଉ ଶରୀର ନେଇ
ସାହସ କୁଳେଇଲାନି ତାଙ୍କ ଦୂଆରେ ଯାଇ ଧର୍ମର ପ୍ରାପ୍ୟ ମାଗିବାକୁ !
କିନ୍ତୁ କହିଲେ କ'ଣ ବିଶ୍ୱାସ କରିବ ?
ମୁଁ ସିନା ଯାଇନି ତାଙ୍କ ପାଖକୁ,
ସେ କିନ୍ତୁ ସାରାଦିନ ଥିଲେ ମୋ' ପାଖରେ ।
ଖୁବ୍ ଗପିଲି, କାନ୍ଦିଲି ଧୁମ,
ବାର୍ ବାର୍ ଆଖି, ମୁହଁ ପୋଛିଲି,
ପୁଣି ବଖାଣିଲି ଯେତେ ସବୁ ଦୁଃଖ,
ଅପ୍ରାପ୍ତି,ଭୁଲ୍ ଭ୍ରାନ୍ତି ସମେତ ।
ସତେ ଯେମିତି ସେ କିଛି ଜାଣନ୍ତିନି !
ସେତ ଚିରକାଳ ମୂକ,
ସେ ଶୁଣିଲେ କି ନାହିଁ,
ବୁଝିଲେ କି ନାହିଁ, ସେଥିକି ମୋର ନିଘା ନାହିଁ ।
ମୁଁ ହିଁ ଯାହା ବକ୍ ବକ୍ ହେଲି ।
ସଞ୍ଜ ନଇଁବ, ନଇଁବ ହେଉଥିଲା,
କବାଟ ଖୋଲିଲି,
ବର୍ଷା ବଢୁଥିଲା ବାହାରେ
ସମାନ ତାଳରେ ମୋ ଆଖିରେବି ତାଣ୍ଡବ !
କଥା କିନ୍ତୁ ଏତିକିରେ ସରି ନଥିଲା ।
ମୁଁ ଲୁହ, ସିଂଘାଣୀ ଏକାକାର ହେଲା ବେଳକୁ,
କେହି ଗୋଟେ କବାଟ ପିଟି କହିଲା-
ଶୁଣ,ତୋ ଇଛାରେ ନା କ'ଣ ?
ଖୋଲି ଦେଖେଯେ,
କୋଉଠିବି ବିନ୍ଦୁଏ ବର୍ଷା ନାହିଁ ।
ସାରା ଆକାଶଟା ଖୁବ୍ ଶାନ୍ତ,ଖୁବ୍ ନିର୍ମଳ ।
କେହି ଯେମିତି ମୋତେ ଆକର୍ଷିତ କରୁଥିଲା,
ମନ୍ତ୍ରମୁଗ୍ଧ ପରି ମୁଁ ଟାଣି ହେଇ ହେଇ ଯାଉଥିଲି ।
ମୁଁ ମୋ' ଭିତରେ ନଥିଲି ।
ଜାଣିନି କେମିତି ଯାଇ ପହଞ୍ଚିଲି ତାଙ୍କ ଦୂଆରେ !
ପାପ ଯେତେ ବୁଝି ପାରିଥିଲି,
ପସରା କରି ଥୋଇଲି ତାଙ୍କ ଆଗରେ ।
ପାଞ୍ଚୋଟି ଦୀପ ଜାଳିଲି ।
ଗୋଟିଏ ଦୀପ ତା'ପାଇଁବି ଜାଳିଲି,
ଯିଏ, ମୋତେ ଏ ଯାଏ ଜାଳି ଜାଳି ଆସିଛି !
ଜାଣିନି ପୁଣ୍ୟ କଲି ନା
ସେ ପବିତ୍ର ପୀଠରେ ପୁଣି ପାପଟିଏ କରି ଆସିଲି ।
ଫେରିଲା ବେଳେ ଭାବୁଥିଲି,
ଅଦୃଷ୍ଟ ହାତରେ କେଡ଼େ ଅସହାୟ
ଏ ମଣିଷ ସତରେ ?
ସବୁ କ'ଣ ଥାଏ ନିଜ ଆୟତ୍ତରେ ?