ମନପକ୍ଷୀ
ମନପକ୍ଷୀ
ଆକାଶେ ଉଡୁଛି ଆଜି ,ମାଟିରେ ଗଡୁଛି
ସାଗରେ ବୁଡୁଛି କେବେ ପବନେ ଦୋଳୁଛି
ଜାଣି ମୁଁ ପାରୁନି ଆଜି ,
କେତେ ଅଛି କେତେ ମୋ' ହଜିଛି !
ବୟସର ଫୁଲ ଡାଳେ ପାଖୁଡା ନଥିବା ଫୁଲ
କାହିଁକି କେଜାଣି ଆଜି କୁଲୁରୀ ଉଠୁଛି !
ବିଳମ୍ବରେ ମଳୟ ବହିଛି ଆଜି
ବିଳମ୍ବରେ ବସନ୍ତ ଆସିଛି ,
ବିଳମ୍ବରେ ଏ ଆଖି ହସିଛି ଆଜି
ବିଳମ୍ବରେ ଏ ଓଠ କମ୍ପିଛି ,
ବିଳମ୍ବରେ ନିଜକୁ ପାଇଛି ଖୋଜି ନିଜ ପାପୁଲିରେ ।
ବିଳମ୍ବରେ ମୃତ୍ୟୁ ଫେରିଯାଏ !
ଫେରିଯାଅ ମୃତ୍ୟୁ ତୁମେ ,
ମରିବାକୁ ମୋର ବେଳ ନାହିଁ
ବସନ୍ତ ଆସିଛି ଆଜି ଦିଗନ୍ତ ହସାଇ,
ଦିକଦିଗନ୍ତ ହସାଇ ।
କିନ୍ତୁ ହେ ବସନ୍ତ , ସତେ କ'ଣ ବାରମାସ
ମୋତେ ତୁମେ ଛାଡିଯିବ ନାହିଁ ?
ମୋ ଗଳିରେ ସତେ କ'ଣ
ବାରମାସ ମଳୟ ବହିବ ?
ମୋ ଓଠରେ ସତେ କ'ଣ
ବାରମାସ ଚମ୍ପା ମୁକୁଳିବ ?
ମୋ' ଛାତିରେ ପୁଣି କ'ଣ
ବାରମାସ ଅଭିଷେକ ହେବ ?
ସତେ କ'ଣ ବାରମାସ
ଏ ଜୀବନେ,ଏ ଆଖିରୁ
ଦୁଃଖର ପରଦା ଖୋଲିବ ?
