ଖୋଜ୍
ଖୋଜ୍
ସେ ଜାଣି ନଥିଲା ସେ କ'ଣ ଖୋଜୁଥିଲା ?
ତଥାପି ସେ ଖୋଜୁଥିଲା....
ଖୋଜିବାର ଶେଷ ନଥିଲା !
ଖୋଜିବା ପାଇଁ ସେ ନିଜକୁ ହଜେଇ ହଜେଇ ଚାଲିଥିଲା,
ତିଳ ତିଳ ଜଳୁଥିଲା !
କିଛି ଗୋଟେ ସେ ପାଉନି,
କିନ୍ତୁ ସେଇ ଇପ୍ସିତ ବସ୍ତୁଟା କ'ଣ,
ଯାହାକୁ ପାଇଲେ ସେ ଖୁସିହେବ,
ଦୀର୍ଘଶ୍ଵାସଟେ ନେବ !
ଜାଣିବା ପାଇଁ ସେ ପୁଣି ଖୋଜୁଥିଲା,
ପୁଣି,ନିଜକୁ ହଜଉଥିଲା
ନିଃଶେଷ ହେଉଥିଲା,
କ୍ଳାନ୍ତ ହେଉଥିଲା,ଭାଙ୍ଗୁଥିଲା
କିନ୍ତୁ ଖୋଜିବାରୁ କ୍ଷାନ୍ତ ହେଉନଥିଲା ।
ଖୋଜିବା ଭିତରେ ସେ ସବୁ ଜିନିଷକୁ ମନେ ପକାଉଥିଲା,
ପାର୍ଥିବ, ଅପାର୍ଥିବ, ହେଲେ ଯାହା ତାକୁ ଲୋଡ଼ା
ସେ ଆଦୌ ପାଉ ନଥିଲା ।
କେବେ ଆକାଶରୁ,କେବେ ମାଟିରୁ,ପାଣିରୁ,ପବନରୁ,
ଜାଗତିକ ସକଳ ବସ୍ତୁରୁ, ପୁଣି କେବେ ଦରାଣ୍ଡୁ ଥିଲା ନିଜକୁ !
କେବେ ଇଶ୍ୱରଙ୍କୁ ଦେଖୁଥିଲା ଅପଲକ ଦୃଷ୍ଟିରେ ।
ଲୁହ,କୋହରେ ପ୍ରଶ୍ନ ପରେ ପ୍ରଶ୍ନ କରୁଥିଲା ।
ଗଭୀର ହତାଶବୋଧ ଭିତରେ
ଯାହା ମିଳୁଥିଲା,ସେସବୁ ତା'ପାଇଁ ନଥିଲା ।
ଯାହାକୁ ସେ ଆଶା କରୁଥିଲା,
ସେସବୁ ଆଉ କାହା ଭାଗରେ ପଡ଼ୁଥିଲା ।
ଏବେ ସେ ବୁଝୁଥିଲା,
ପାଇବାର ଆଶା କାହିଁକି ଯେ ?
ପାଇବା କ'ଣ ସମସ୍ତଙ୍କ ଭାଗ୍ୟରେ ଥାଏ ?
ନିଜକୁ ସମର୍ପି ଦେଇବି ରିକ୍ତ ହସ୍ତରେ ଫେରିବାକୁ ପଡେ,ଯଦି ଭାଗ୍ୟରେ ନଥାଏ !
ଏକଥା ବୁଝିବି,ସେ ବୁଝି ପାରୁନଥାଏ,
ଏବଂ, ପୁଣି ଖୋଜିବା ଜାରି ରଖୁଥାଏ !
ଏବେ ସେ ନିଶ୍ଚିତ ହେଉଥିଲାଯେ,
ଏଇ ଖୋଜିବାହିଁ ଜୀବନ !
ଯେ ଯାଏ ପାଇନାହିଁ ,ସେଯାଏ ଧାଇଁଥିବ,
ଯୁଝୁଥିବ !
ଖୋଜିବା ଆଉ ପାଇବା ଭିତରେ ଯାହା ରହିଲା
ତାହା କେବଳ ମୋହ,ତୁଛା ମୋହ !
ଏଇ ମୋହହିଁ ବଞ୍ଚେଇ ରଖେ ମଣିଷକୁ !
ମୋହ ନାହିଁତ ଜୀବନ ନାହିଁ !
ଖୋଜିବାହିଁତ ମୋହ !
ସେ ମୋହ କିଛିବି ହେଇ ପାରେ,କିଛିବି !
ତେଣୁ,ସେ ପୁଣି ଖୋଜି ଚାଲିଲା !
ଯଦିଓ ସେ ଜାଣିନଥିଲା,
ସେ ପ୍ରକୃତରେ କ'ଣ ଖୋଜୁଥିଲା !!
* * *
Mahapatra B Sunanda.
Bangalore.
