STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ସିଏ ମଧ୍ଯ କବି

ସିଏ ମଧ୍ଯ କବି

1 min
385

ତାକୁ ମଧ୍ଯ ଲୋକେ କହିଥାନ୍ତି କବି

ଯିଏ କ୍ଲିଷ୍ଟ କଟୁ ଦୁର୍ବୋଧ୍ୟ ଶବ୍ଦରେ

ସରଳ ଚେତନାକୁ କରେ ବନ୍ଦୀ

କବିତାର ଶବ୍ଦ ତା'ର ନୁହେଁ ତିଳେ

ସର୍ବଜନ ବୋଧଗମ୍ୟ ନୁହେଁ ସାବଲୀଳ

ବୁଝିବାକୁ ଲେଖା ତା'ର ଅଭିଧାନ ଲୋଡ଼ା।


ପ୍ରକାଶିବା ପାଇଁ ସ୍ବକୀୟ କୃତିରାଜି

ଦିଲ୍ଲୀରୁ ଦୌଲତାବାଦ କରିଥାଏ ସାଲିସ୍

ହସ୍ତେ ଧରିଥାଏ ମାଳ ମାଳ ସୁପାରିଶ ପତ୍ର

ନେତା ମନ୍ତ୍ରୀ ଅମଲାତନ୍ତ୍ରୀଙ୍କ ସାଜି ବଚସ୍କର

ବାଟେଘାଟେ କରୁଥାଏ ତାହାଙ୍କ ପ୍ରଶସ୍ତି ଗାୟନ

ଗଦା ଗଦା ମାନପତ୍ରେ ଦେଖୁଥାଏ ଆପଣା ବଦନ

କୃତ୍ଯ କୃତ୍ଯ ହୋଇ ମଣେ ଆପଣାକୁ ମହୀୟାନ।


ନିଜ କବିତ୍ବର କରେ ବୃଥା ପ୍ରଶଂସା

ପୁରସ୍କାର ପାଇଁ ସଦା ମନେ ଥାଏ ଲାଳସା

କବିତା ଆସରରେ ଦେଖାଏ ଆତ୍ମ ବଡିମା

ଧାଡିଏ କବିତା ପଢିଲେ ଗୁଣ ପଡେ ଜଣା

ବହଳ ବଦନେ ଗାଉଥାଏ ଚାଟୁକାର ଭାଷା

ବିଚାରକଗଣ ମତି ଜିଣି ନିଅଇ ସହସା।


କବିତା ତା' ରସହୀନ ନିହାତି ବେସୁରା

ରୂପହୀନ ଗଂଧହୀନ ଶୁଷ୍କତାରେ ଭରା

ନାହିଁ ତତ୍ତ୍ବ ନାହିଁ ଭାବ ନାହିଁ ଜ୍ଞାନ ତହିଁ

ରଙ୍ଗ ରୂପ ରସର ସ୍ଥାନ ନାହିଁ ଯହିଁ

ଭରି ରହିଥାଏ ସେଇ ଲେଖାରେ ଖାଲି

ଦୁର୍ବୋଧ୍ୟ କ୍ଲିଷ୍ଟତାର ଶୁଷ୍କ ମରୁବାଲି।


Rate this content
Log in

Similar oriya poem from Abstract