ସିଧାକଥା-46 ଆମେ ସବୁ ସମାନ
ସିଧାକଥା-46 ଆମେ ସବୁ ସମାନ
ଧନ ବିଦ୍ୟା ମାନ ଯଶ ପଉରୁଷ ଅର୍ଜିବାକୁ କହେ ମନ,
ଉଚ୍ଚ ପଦବୀରେ ଆସୀନ ହେବାକୁ ବ୍ୟାକୁଳିତ ହୁଏ ପ୍ରାଣ |
ଚାଳିଶ ବର୍ଷରେ ସେହିଲୋକ ଭାବେ ଏତେଶିକ୍ଷା ଥାଉଁଥାଉଁ,
ଅପଢା ପଣ୍ଡିତ ଧନରେ ମାନରେ ଦେଖାଇ ପାରୁଛି ଭାଉ |
ଅର୍ଥ ଉପାର୍ଜନେ ମୋ ସହ ସମାନ ତୁଚ୍ଛା ଅହଂକାର ମୋର,
ଶିକ୍ଷା ନ ପାଇ ବି ଠିକାଦାର ଘରେ ଖଟାଏ କେତେ ଚାକର |
ପଚାଶ ବର୍ଷରେ ଭାବୁଛି ମଣିଷ କିହେବ ସୁନ୍ଦର ରୂପ ?
ଲୁଚାକୁଚ ଚମ ପାଚିଲା ଦାଢିରେ ଥାଉ ସେ ବୟସ ଛାପ |
ଷାଠିଏ ବେଳକୁ ଭାବୁଛି ସେ ପୁଣି ପଦବୀର ନାହିଁ ମୂଲ୍ୟ,
ଅବସର ପରେ ସଭିଏଁ ସମାନ ପିଅନଙ୍କୁ ନୁହେଁ ତୁଲ୍ୟ |
ସତୁରି ବର୍ଷରେ ଭାବୁଛି ମଣିଷ ଏ' ଘରେ ରହିବ କିଏ ?
ସଜାଡ଼ି ସମ୍ଭାଳି ରଖିବାକୁ ଭଲ ଥିଲେ ଛୋଟ ଘରଟିଏ |
ଅଶୀବର୍ଷ ହେଲେ ଭାବୁଛି ମଣିଷ ଅର୍ଥ ଥାଉ ବା ନ ଥାଉ,
ମୋ ପାଇଁ ସମାନ ଖର୍ଚ୍ଚ କରିବାକୁ ବୁଦ୍ଧି-ବଳ ନାହିଁ ଆଉ |
ନବେବର୍ଷ ହେଲେ ନିଦରେ ଶୋଇବା ଚେଇଁବା ଦୁହେଁ ସମାନ,
ମୃତ୍ୟୁବେଳେ ଭାବେ ସଭିଏଁ ସମାନ ଯିବା ଗୋଟେ ଶମଶାନ |
ମୃତ୍ୟୁ ହେଲେ ଭାବେ ସଭିଏଁ ସମାନ ।
