ସିଧାକଥା ୨
ସିଧାକଥା ୨
ଜନମରୁ ପାଞ୍ଚ ବରଷ ପର୍ଯ୍ୟନ୍ତ ସଭିଙ୍କର ଥିଲି ଗେହ୍ଲା,
ଛଅ ବରଷରୁ ତାଡ଼ନା ପାଇଲି କହିଲେ ମୋତେ ଚଗଲା ।
ଦଶ ବରଷରୁ ପନ୍ଦର ପର୍ଯ୍ୟନ୍ତ ପୋୖଗଣ୍ଡ ବୟସ ପିଲା,
ସାଙ୍ଗ-ସାଥି ମେଳେ ବୁଝିଲି ଦୁନିଆ ମଥା ହେଲା ଢିଲା-ମେଲା ।
ଷୋହଳ ଚାଲିଲା ହୋଇଲି ଯୁବକ ଦେହରେ ମନରେ ବଳ,
ପଚିଶ ବେଳକୁ ପିଠିରେ ଜୁଆଳି କାନ୍ଧରେ ଝୁଲେ ଲଙ୍ଗଳ ।
ଚାଳିଶ ପର୍ଯ୍ୟନ୍ତ ଟାଣି ନେଇଗଲି ନିଜକୁ ଯୁବକ କହି,
ପ୍ରୌଢ଼ ନୁହେଁ ପୋଢ଼ ପରି ମୁଁ ନିଶାରେ ଚାଲୁଥିଲି ବୋଝ ବୋହି ।
ଷାଠିଏ ବେଳକୁ ସଭିଏଁ କହିଲେ ତୁମେ ଆମ ଗୁରୁଜନ,
ଧନ-ମାନ ଦେଖି ଥୋକାଏ କହିଲେ ସିନିୟର ସିଟିଜନ ।
ସତୁରି ବେଳକୁ ସବୁଠି ଦରଜ ଆଖି,କାନ, ନାକ ଢିଲା,
ପଞ୍ଚସ୍ତରୀ ହେଲା ଧୂଷର ଦିଶିଲା ନିଜଦେହ ବୋଝ ହେଲା ।
ଅଶିଠାରୁ ପଞ୍ଚାଅଶି ବଡ଼କଷ୍ଟ ଚାଲିବାକୁ ବଳନାହିଁ,
ସଭିଏଁ ନିଜର ସୁଖେ ଦୁଃଖେ ବ୍ୟସ୍ତ ଅଲୋଡ଼ା ହୋଇଲି ମୁହିଁ ।
ନବେ ବୟସରେ ଅଣ୍ଟା ପଡ଼ିଗଲା ବିଛଣା ହିଁ ଏକା ସାହା,
ପଞ୍ଚାନବେ ହେଲା ଡାକିଲି ଶ୍ରୀହରି ଆଶ୍ରାଦିଅ ଚଉବାହା ।
ଶେଷ ପାଞ୍ଚବର୍ଷ ଯମର ଯନ୍ତ୍ରଣା ଗପିଲି ପାଗଳ ପ୍ରାୟ,
ମୋର ପ୍ରିୟଜନ ପ୍ରାର୍ଥନା କରିଲେ-ପ୍ରଭୁ ତାଙ୍କୁ ନେଇଯାଅ ।
#ସିଧାକଥା
