ଶୂନ୍ୟତାର ଅଭିମାନ
ଶୂନ୍ୟତାର ଅଭିମାନ
ଶୁଖିଲା କାଠଗଡ଼ଟା,
ଖରା,ବର୍ଷା,ଶୀତ ଆଉ କାକରରେ,
ଚାହିଁଛି ରାଜରାସ୍ତାକୁ କରୁଣ ଆଖିରେ।
ଶ୍ରାବଣ ବାରିଧାରାରେ ତା ଦେହରୁ ପତ୍ର କଅଁଳୁନି।
ଫୁଲଫଳର ଭାରାରେ,
ଉଛୁଳୁନି ଆଉ ତାର ଭରା ଯଉବନ।
ବସନ୍ତର ମଳୟ ପବନେ,
ଚନ୍ଦନ ପାଲଟୁନାହିଁ ତାର ଅବୟବ ।
ଡାଳ,ପତ୍ର,ଫୁଲ,ଫଳ,
ଯିଏ ଦିନେ ଥିଲେ ତାର ଅତି ଆପଣାର,
କେବେଠୁ ତା ନିକଟରୁ ଦୂରେଇ ଗଲେଣି।
ବୈଶାଖ ମାସ ଝାଞ୍ଜିରେ,
ଯେଉଁମାନେ ଲୁଟୁଥିଲେ ତା ଛାଇର ଶୀତଳତା,
ଆଡଆଖିରେ ତା ଆଡେ ଚାହୁଁବି ନାହାଁନ୍ତି।
ଯେଉଁ ପିଲାମାନେ ଦିନେ,
ରଜବେଳେ ଖେଳୁଥିଲେ ତା ଡାଳରେ ଦୋଳି,
ଆନନ୍ଦରେ ଖାଉଥିଲେ ତାର ମିଠାଫଳ,
ତା ପାଖ ମାଡୁବି ନାହାଁନ୍ତି।
ଯେତେବେଳେ ତା ପାଖରେ ଥିଲା ସବୁଜିମା,
ଯୌବନର ଉଦ୍ଦୀପନା,
ସିଂହର ସାହସ ନେଇ,
ସମସ୍ତଙ୍କ ବିପଦରେ ଅଣ୍ଟା ଭିଡୁଥିଲା।
ସେ ଥିଲା ଶେଷ ଠିକଣା ନୀଡହରା ଚଢେଈଟି ପାଇଁ।
ସଞ୍ଜ ହେଲେ ତା ପତ୍ର ଗହଳରେ,
ଟିକିଟିକି ଚଢେଈଙ୍କ ମିଠା କଳରବ,
ଭରୁଥିଲା ତା କାନରେ ଓଁକାର ଶବଦ।
ଦେବାରେ ଯେ କି ଆନନ୍ଦ,
ମର୍ମେ ମର୍ମେ ଅନୁଭବ କରୁଥିଲା ସିଏ।
କିନ୍ତୁ?ସେଇ ପକ୍ଷୀମାନେ ଆଜି ,
ଉଡୁଛନ୍ତି ତା ଠାରୁ ଅନେକ ଦୂରରେ।
ସମସ୍ତ ରକ୍ତ ନିଗାଡି ଶିରା ପ୍ରଶିରାରୁ,ସେ ଆଜି ନିସ୍ଵ।
ପୁରୁଣା ସ୍ମୃତିକୁ ଛାଡି,
ଆଉ କିଛି ନାହିଁ ଆଜି ତା ପସରାରେ।
ସେଥିପାଇଁ ସେ ଆଜି ଅଲୋଡା । କେହି ତାକୁ ଖୋଜୁନାହିଁ।
ସବୁକିଛି ଢାଳିଦେଇ ଦୁନିଆଁ ଅଣ୍ଟିରେ,
କବନ୍ଧ ଭଳି କରିଛି ମୁକ୍ତିକୁ ପ୍ରତୀକ୍ଷା।
ତା ମନରେ ଗୋଟିଏ ଭାବନା!
କେବେ ଏବାଟେ ଆସିବେ ଶ୍ରୀରାମ ଲଖ୍ମଣ?
ଶୁଣିବେ ମୋ ଜୀବନ କାହାଣୀ!
ବୁଝିବେ ମୋ ମନର ବେଦନା!
ପଚାରିବି ତାଙ୍କୁ!
ସବୁଜିମା ପ୍ରାଚୁର୍ଯ୍ୟରେ ଆକର୍ଷିତ ହୋଈ,
ଯେଉଁମାନେ ଘୁରୁଥିଲେ ମୋ ଚାରିପାଖେ,
ମୁଁ ଯଦି ସାଇତି ଅଛି ତାଙ୍କ ସହ ବିତିଥିବା ହସ ଲୁହ ଦିନ!
ସେମାନେ ଅଛନ୍ତି ଯଦି ମୋ ମନର ନିଭୃତ କନ୍ଦରେ!
ତାଙ୍କ ହୃଦୟ ଭିତରେ ଜାଗା ଟିକେ ଖୋଜିବାଟା,
ମୋର କଣ ମସ୍ତବଡ ଭୂଲ?
ତାଙ୍କ ମନ ମନ୍ଦିରରେ ମୋ ପାଇଁ ସ୍ନେହ ଟିକେ ଦରାଣ୍ଡିବା,
ମୋର କଣ ଏତେ ବଡ ଅପରାଧ?
ସ୍ରଷ୍ଟାଙ୍କର ଏ ସୃଷ୍ଟିରେ ,
ସତରେ ମୁଁ କଣ ଆଜି ଏମିତି ଅଲୋଡା?
ଦଧୀଚିଙ୍କ ଅସ୍ଥି ଯଦି,
ବଜ୍ର ହୋଇ ଲାଗିପାରେ ଦେବତାର ହିତ ପାଇଁ!
ମୋର ଏ ବୃଦ୍ଧ ଶରୀରଟା ,
ହୋଇ ପାରିବନି କଣ ଜୁଈ କାଠ,
କେଉଁ ଏକ ଅଜଣା ବାଟୋଇଟିର ,
ଅଲୋଡା ସେ ମୃତ ଦେହ ପାଇଁ?