ଶୁଣରେ ପିଲେ
ଶୁଣରେ ପିଲେ
ପ୍ରଣାମ -ଗୁରୁ ଗୁରୁଜନ ପିତା ଓ ମାତାଙ୍କୁ
ଭୂମିଷ୍ଠ ପ୍ରଣାମ କରୁଥିବ
ସଞ୍ଜ ଓ ସକାଳେ ପିତା ମାତା ପାଦେ
ମଥାକୁ ନିତି ଯେ ଛୁଆଁଇବ ll
ଅନ୍ତର ଆତ୍ମାର ଆଶୀର୍ବାଦ ଯେତେ
ମଥାପରେ ଢାଳି ହୋଇଯିବ
ଆଶିଷ ତାଙ୍କର ପାଇବାକୁ ହେଲେ
ଏ କଥା ମନରୁ ନ ଭୁଲିବ ll
ଦଣ୍ଡବତ - ମଠ ମନ୍ଦିରର ଦେବତାଦେବୀଙ୍କୁ
ଦଣ୍ଡବତ ସଦା ହେଉଥିବ
ସକାଳ ସନ୍ଧ୍ୟାରେ ମନ୍ତ୍ର ଜପ କରି
ସ୍ତବ ସ୍ତୋତ୍ର ପାଠ କରୁଥିବ ll
ଭକତ ଭାବରେ ଭକତି ପ୍ରେମରେ
ସନ୍ଧ୍ୟା ଆରତି ଯେ ଗାଉଥିବ
ନୟନରୁ ନୀର ଗଡ଼ାଇ ଗଡ଼ାଇ
ସାଷ୍ଟାଙ୍ଗେ ଭୂମିରେ ଲୋଟୁଥିବ ll
ଦେବତା ଆସନ ଥରି ଯେ ଉଠିବ
ଆଶିଷ ସୁମନ ଝରିଯିବ
ମନ ବାଞ୍ଛା ତାର ପୁରଣ ହେଇବ
ଏ କଥା ମନରୁ ନ ଭୁଲିବ ll
ଜୁହାର -ପ୍ରିୟ ସାଙ୍ଗ ସାଥି ଭେଟାଭେଟି ବେଳେ
ଜୁହାର ଜଣାଇ ହସିଦେବ
ଆଲିଙ୍ଗନ କରି ହାତକୁ ମିଳାଇ
ମିଠା କଥା ପଦେ କହିଦେବ ll
ବିପଦେ ଆପଦେ ତା ସଂସାର କ୍ଷେତ୍ରେ
ତୁରିତ ପହଞ୍ଚି ଯାଉଥିବ
ବନ୍ଧୁତ୍ୱ ଅତୁଟ ରହିଥିବ ସଦା
ଭଲ ମନ୍ଦ ଯେବେ ବୁଝୁଥିବll
ନମସ୍କାର -ଉଚ୍ଚ କର୍ମଚାରୀ ବାବୁଙ୍କୁ ଦେଖିଲେ
ନମସ୍କାରଟିଏ ମାରୁଥିବ
ନୋହିଲେ ଆକ୍ରୋଶ ଶିକାର ହୋଇବ
କେବେ ହେଁ ବିପଦେ ପଡ଼ିଯିବ ||
ଟାଣ କଥା ତାଙ୍କ ଶୁଣୁଥିବା ବେଳେ
ମଉନ ହୋଇ ଯେ ରହିଥିବ
ଚୁଗୁଲି ନ କରି ବିରୋଧ ନକରି
ସ୍ଥାନ କାଳ ପାତ୍ର ଜଗୁଥିବ ||
ହଟହଟା କେବେ ନ ହୋଇବା ପାଇଁ
ଏଥିକୁ ନଜର ରଖିଥିବ
ନୋହିଲେ କରମ କ୍ଷେତରେ ତୁମର
ଅଶାନ୍ତ ନିଆଁରେ ଜଳୁଥିବ ||
ଓଳିକି -ସମାଜ ଲୋକଙ୍କୁ ଓଳିକି ଜଣାଇ
ଥଟା ମଜା ଛଳେ କହୁଥିବ
ହସ ମଜା ଛଳେ ଦେହକୁ ନ ନେଇ
ସମାଜ ସଳଖ ହୋଇଯିବ ||
ସମାଜର ଦୋଷ ଦୁର୍ଗୁଣ ବଖାଣି
ସଚେତନ କାର୍ଯ୍ୟ କରୁଥିବ
ସୁନ୍ଦର ସମାଜ ଗଠନ ପାଇଁକି
ସଭିଙ୍କୁ ଓଳିକି ଜଣାଇବ ||
ହାଲୋ ହାଏ ଯୁଗ ହେଲାଣି ଏଣିକି
ସଂସ୍କୃତି କି ଆମ ଲୋପ ହେବ!
ପଛ କଥା ଭୁଲି ଆଗକୁ ଚାଲିଲେ
ସମାଜ କେମିତି ସୁଧୁରିବ ||??
