ଶୁଣ ପ୍ରିୟ ବିଶ୍ବବାସୀ
ଶୁଣ ପ୍ରିୟ ବିଶ୍ବବାସୀ
ବସନ୍ତ ଆଗମେ ମଳୟ ହିଲ୍ଲୋଳେ
ଆମ୍ର କୁଞ୍ଜ କିଶଳୟ
ଉଠଇ ଉଜ୍ଜ୍ବଳି ବଉଳର ପେନ୍ଥା
ଦେଖି ନବ ସୂର୍ଯ୍ୟୋଦୟ ।
ବୁଣେ ଆଲୋକରେ ରଙ୍ଗର ମୁରୁଜ
ସବୁଜ ସ୍ବପ୍ନ ସୁନ୍ଦର
ପ୍ରସାରେ ଦିଗନ୍ତେ ସମ୍ଭାବନା ନୂଆ
ଆଶା ନବ ସୃଜନର ।
ଅତୀତ ତା ପୃଷ୍ଠା ଶୁଖି ଝରିଯାଏ
ପଲ୍ଲବିତ ନବପତ୍ର
ପଞ୍ଚମ ରାଗରେ ତୋଳଇ ମୂର୍ଚ୍ଛନା
ସ୍ବର ଅମୃତ ମଧୁର ।
ଚାହିଁ ଜୁଳୁ ଜୁଳୁ ମୁଖକୁ ପ୍ରକାଶି
ହସି କହେ ଆମ୍ବ କଷି
ଲୋଡେ ମୁଁ ପ୍ରଯତ୍ନ ସମ୍ପୂର୍ଣ୍ଣ ବିକାଶ
ଶୁଣ ପ୍ରିୟ ବିଶ୍ବବାସୀ ।
ନ ଜଳୁ ହୃଦୟେ ସ୍ବାର୍ଥ ଅହମିକା
କ୍ରୋଧ ହିଂସା ଦାବାନଳ
ବସୁଧା କୁଟୁମ୍ବେ ସହ ଅବସ୍ଥାନେ
ଉନ୍ମେଷୁ ପ୍ରାଣ କମଳ ।
ଅକ୍ଷର ସ୍ବର୍ଣିମେ ରଚୁ ବର୍ତ୍ତମାନ
ଜୀବନ ନୂଆ ଅଧ୍ଯାୟ
ବଢୁ ସଦ୍ଭାବନା ସତ୍ଯ ଶାନ୍ତି ମୈତ୍ରୀ
ସୃଷ୍ଟି ହେଉ ମଧୁମୟ ।