ଶୁଣ ମା ବିଦ୍ୟାଦାତ୍ରୀ
ଶୁଣ ମା ବିଦ୍ୟାଦାତ୍ରୀ
ହୁଏ ସବୁ ସିଦ୍ଧି ଭକ୍ତିରେ ତୋର,
କୀର୍ତ୍ତି ଓ ସମ୍ମାନ ମିଳେ ଅପାର,
ଭକ୍ତିରେ ତତ୍ପର ସାରା ସଂସାର,
ବାଳକ ବାଳିକା ଖୁସି ଆନନ୍ଦ ହେ,
ବସ୍ତ୍ର ପରିଧାନ ନୂଆ ହେ,
ପୂଜନ କରିବେ ବାଣୀ ବୀଣାପାଣି,
ଭକ୍ତି ଓ ନୈବେଦ୍ୟ ଦେଇ ହେ !!
ଆଜି ଟି ପବିତ୍ର ମାଘ ପଞ୍ଚମୀ,
ସରସ୍ବତୀ ପଦେ ମୋର ନମାମୀ,
ପବିତ୍ର ଦିନ ଆଜି ଶ୍ରୀପଞ୍ଚମୀ,
ବସନ୍ତ ପଞ୍ଚମୀ ନାମ ବିଖ୍ୟାତ ହେ,
ଦିଶୁଛି ମଣ୍ଡପ ସୁନ୍ଦର ହେ,
କାହାଳୀ ଶୁଭୁଛି ମୃଦଙ୍ଗ ବାଜୁଛି
ପଡୁଛି ଶଙ୍ଖ ହୁଳହୁଳି ହେ !!
ହଂସ ବାହିନୀ ନମଃ ବୀଣାପାଣି,
ଜନନୀ ବୀଣା ପୁସ୍ତକ ଧାରିଣୀ,
ବିଦ୍ୟା ଦାୟିନୀ ଶୁଣ ମୋର ବାଣୀ,
ପଦ କହି ଦିଅ ଜନନୀ ତୁମେ ହେ,
ଜ୍ଞାନ ବିଦ୍ୟା ଦିଅ ମାତା ହେ,
କବିତା ମୋ ହେଉ ସମାଜ ନିର୍ମାଣେ,
ଶକ୍ତି ଭରି ଦିଅ ହୃଦେ ହେ !!
କରୁଣାମୟୀ ମା ଶୁଣ ମୋ ଅଳି,
କଳା କବିତାର ଦିଅ ମା ବୋଳି,
ଭକ୍ତିର ଦୀପା ଟି ଦେଇଛି ଜାଳି,
ଦିଅ ଆଶୀର୍ବାଦ ହଂସ ବାହିନୀ ହେ,
ଡାକୁଛି ମୂର୍ଖ ଅଜ୍ଞାନୀ ହେ,
ଜାଣେ ନାହିଁ କିଛି ଦେବି କି ନୈବେଦ୍ୟ,
ବିଦ୍ୟାଦାତ୍ରୀ ବିଦ୍ୟା ଦିଅ ହେ !!
ମର୍ତ୍ତ୍ୟରେ ଗୁଞ୍ଜୁଛି ଭକ୍ତି ତରଙ୍ଗ,
ଭକ୍ତି ଭକ୍ତିର ଅନ୍ତର ଅଙ୍ଗ,
ଗାଆଁରୁ ସହର ପ୍ରେମ ଉମଙ୍ଗ,
ଦିଅ ବିଦ୍ୟା ବୁଦ୍ଧି ତୁ ମା ସର୍ବାଙ୍ଗ ହେ,
ଘେନବେ ବିନତି ମୋର ହେ
କର ଉଚ୍ଚ କୋଟି କବିତା ରଚନା,
ଶକ୍ତି ଦିଅ ବୀଣାପାଣି ହେ !!