ଶୁକପକ୍ଷୀର ସ୍ବପ୍ନ
ଶୁକପକ୍ଷୀର ସ୍ବପ୍ନ
ସକାଳୁ ସକାଳୁ ସେ ଉଠିଥାଏ
ହରିନାମ ସଦା ସେ ଜପୁଥାଏ
ପାଚିଲା ପିଜୁଳି ପାଚିଲା କୋଳି
ଦେଖିଲେ ଲୋଭ ପାରେନା ସମ୍ଭାଳି ।
ମିଳିଲେ ମିଠେଇ ଖୁସିରେ ଖାଏ
ଖାଇସାରି ହରି ନାମକୁ ନିଏ
ଡାକିଲେ କେହି ସେ ବୋବାଉଥାଏ
ମନେ ମନେ ବୋଧେ ସେ କହୁଥାଏ ।
ପଞ୍ଜୁରୀ ଦେଇଛ ଖାଦ୍ୟ ବି ଦେଇଛ
ହେଲେ ମୋ ମୁକ୍ତିକୁ ଛଡେଇ ନେଇଛ
ପକ୍ଷୀ ଜନ୍ମ ମୋର ଶୁକ ଅଟେ ମୁହିଁ
କିପରି ଭାବିଲ ମୁଁ ଉଡ଼ିବି ନାହିଁ ।
ଦେଖି ପାରିଲିନି ମୁକ୍ତ ଆକାଶ
ନୀଳ ନଭ ଚନ୍ଦ୍ର ସୂର୍ଯ୍ୟ ପ୍ରକାଶ
ନଦୀ ଝରଣା ପାହାଡ ପବନ
ଦେଖି ପାରିଲିନି ପାଇ ନୟନ ।
ଯାହା ଶିଖେଇଲ ତାହା କହିଲି
ସ୍ୱର ମୋ କେମିତି ତା ବି ଭୁଲିଗଲି
ଜାଣେନା ସାଥୀ ମୋ କିପରି ରୁହନ୍ତି
ଖରା ବର୍ଷା ଶୀତ କେମିତି କାଟନ୍ତି ।
ପକ୍ଷ ଅଛି କିନ୍ତୁ ଉଡ଼ା ଜାଣିନାହିଁ
ତଥାପି ମନେ ମୋ ଦେଖ ଦୁଃଖ ନାହିଁ
ଜାଣିଛି ଈଶ୍ୱର ଲେଖିଛନ୍ତି ଏହା
ଆଜି ଏଠାରେ ଭୋଗୁଅଛି ଯାହା ।
କହିବିନି ମିଛ ସପନ ମୁଁ ଦେଖେ
କଥା କହି କହି କଥା ମୁଁ ବି ଶିଖେ
ଡାକରା ପକାଏ କଳିଆକୁ ମନେ
ଉଦ୍ଧରିବ ମୋତେ ଆସି ସେ ସପନେ ।
ନେଇଛି ଯେତେକ ନାମ ତାର ମୁହିଁ
କହିବା କାହାକୁ ମୋ ଦରକାର ନାହିଁ
ଜାଣିଛି ସେ କାହ୍ନୁ ମୋ ମନର କଥା
ମୁକ୍ତି ଦେଇ ମୋତେ ନେବ ମୋର ବ୍ୟଥା ।
କ୍ରମଶଃ
