ଶୁଖିଲା ପତ୍ର
ଶୁଖିଲା ପତ୍ର
ମୋତେ ଝଡ ତୋଫାନର କଥା କହି
ମିଛଟାରେ କାହିଁ ଡରାଉଛ ଭାଇ
ମୋ ଜୀବନ ଆହୁରି ଅନ୍ଧକାରମୟ
କଳ୍ପିତ ଉଡାଣ ମୋ ଭାଗ୍ୟେ ହିଁ ନାହିଁ ।
କେବେ ଦିନେ ଯେଉଁ ଜୀବନଟା ଚିର ସବୁଜ ଥିଲା
ଆଜି ସେଠି ଧୂସର ଦୁଃଖର ବହଳ
ପୋଛି ନେଇଛି ସବୁତକ ରଙ୍ଗ ସେଇ ସମୟ
ନାହିଁ ଆଉ ଫଗୁଣର ପ୍ରୀତିଭିଜା ଚହଳ ।
ଏବେବି ଫେରେ ଦିନରାତି ନିବିଡତାର ସ୍ପର୍ଶରେ
ପତ୍ରଝଡ଼ା ଦେଇନଥିବା ଗଛର ଶ୍ୟାମଳ ଅଙ୍ଗରେ
ଆବେଗ ସମ୍ମୋହନର ସମସ୍ତ ସ୍ବାକ୍ଷରକୁ ନେଇ
ଅବେଳରେ ଜହ୍ନ ରାତିର ସ୍ବପ୍ନ ଦେଖେଇ ।
ମୁଁ କିନ୍ତୁ ଟାଙ୍ଗି ସାରିଛି ନିଜକୁ ଶୂନ୍ୟ ଆକାଶ ତଳେ
ନୀରବିତ ସମୟର ର କାକୁସ୍ଥ କାନ୍ଥରେ
ସବୁଦିନ ପାଇଁ ଆଲୋକଠୁ ରୁଷି ଯିବାପରେ
ଉଭା ହୋଇ ଛାତି ତଳ ଅମୁହାଁ ଦେଉଳରେ ।
ଏମିତି ବି ଶୁଖିଲା ପତ୍ରର ଜୀବନ କେତେ
ପୀୟୂଷର ପ୍ରତିଶ୍ରୁତି ତା ଭାଗ୍ୟରେ କାହିଁ
ଥରେ ଶିଥିଳ ହୋଇଗଲେ ତା' ପ୍ରେମର ପୃଥିବୀ
ସେ ପଡ଼ିଥାଏ ଶେଷ ନିଃଶ୍ୱାସକୁ ହିଁ ଚାହିଁ ।।
