ଶଶାଙ୍କ
ଶଶାଙ୍କ
ବିଭାବରୀ କୋଳେ ପ୍ରଶାନ୍ତ ଅମ୍ବରେ
ଆସନ୍ତି ବିମଳ ଶଶୀ
ବାରୁଣୀ ତଟରେ ପ୍ରଦୋଷ କାଳରେ
ଜ୍ୟୋତି ବିଭା ପରକାଶି l
ମୃଗାଙ୍କ ଶଶାଙ୍କ ବିଧୁ ନିଶାକର
କଳାନିଧି ଚାନ୍ଦ ସୀତାଂଶୁ
ଜହ୍ନ କଳାକର ଶଶୀ ସୁଧାକର
ଚନ୍ଦ୍ରମା ଇନ୍ଦୁ ହିମାଂଶୁ l
ଇନ୍ଦୁ ପରକାଶେ ସରସୀର ବାସେ
ଫୁଟନ୍ତି କୁମୁଦ ଗଣ
ଛାଇ ଆଲୁଅର ମଧ୍ୟେ ନିଶାଚର
କରିଥାନ୍ତି ବିଚରଣ l
ଚନ୍ଦ୍ରମାଙ୍କୁ ଡରି ଘନ ବିଭାବରୀ
କାଢିନିଏ କଳାପାଟ
ଆବରଣ ମୁକ୍ତ ହୁଅଇ ଧରଣୀ
ଦୃଶ୍ୟ ହୁଏ ବାଟ ଘାଟ l
ତରୁ ଲତା ଡାଳେ ପାଦପ ପତରେ
ଖଦ୍ୟୋତ ବସଇ ଲୁଚି
ମିଞ୍ଜି ମିଞ୍ଜି ତା'ର କ୍ଷୀଣ ଆଲୋକକୁ
ଅଜାଣତେ ଦିଏ ବିଞ୍ଚି l
ଉପହାସେ ଡରି ଜନ ମାନସରେ
ନିଜକୁ ମଣଇ ହୀନ
ଏଇ ଦୁଃଖ ତାକୁ ଦେଇଛି ଦଇବ
ନୁହେଁ ସେ ଚାନ୍ଦ ସମାନ l
ପ୍ରକୃତି କୋଳରେ ଚନ୍ଦ୍ରମା ଅଟନ୍ତି
ଜୀବଜଗତର ନିଧି
ତାଙ୍କରି ବିହୁନେ ଏ ଜୀବଜଗତ
ଅନ୍ଧକାରେ ହୁଏ ଧନ୍ଦି l
ସେଥିପାଇଁ ବିଧି ପକ୍ଷ କରିଛନ୍ତି
କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ
ଅନ୍ଧକାର ଭେଦି ଆଲୋକରେ ମହୀ
ନିଜକୁ କରଇ ଦକ୍ଷ l
ପ୍ରଭାକର କର ପାଇ ନିଶାକର
ଆଲୋକ କରନ୍ତି ଧରା
ତାଙ୍କ ଆଲୋକରେ ଆଲୋକିତ ହୋଇ
ମହୀ ହୁଏ ଆତ୍ମହରା l
ପଶୁ ପକ୍ଷୀ କୀଟ ତରୁ ଲତା ଯା କେ
ସଭିଙ୍କର ସିଏ ପ୍ରିୟ
ଜନ ମାନସରେ ଜହ୍ନ ମାମୁଁ ନାମେ
ଖ୍ୟାତ ତାଙ୍କ ପରିଚୟ l