ଶରଣ ଗଲି ତୁମରି
ଶରଣ ଗଲି ତୁମରି
ତୁମକୁ ଭରସା କରିଅଛି ବୋଲି
ପାଉଛି ଏତେ ଯାତନା
ବନ୍ଧୁବୋଲି ତୁମେ କଷ୍ଟ ଉଶ୍ବାସିବ
ମିଳିଥିଲା ଆଶ୍ବାସନା ।
ପତିତ ଉଦ୍ଧାର ଦୁଃଖକୁ ନିବାର
ଉଡୁଛି ତୁମର ବାନା ,
ମୋଲାଗି କିପରି ନିର୍ଦ୍ଦୟ ହେଉଛ
କରିନି ବନ୍ଧୁତା ଉଣା ।
ତୁମକୁ ତ ପାଇ ଦେଲି ମୁଁ ହଜାଇ
ବନ୍ଧୁତା ହେଲା ସଫଳ,
କ୍ଷିର ସାଥେ ନୀର ବନ୍ଧୁ ସଘନର
ଯେସନ ଜାଣେ ସକଳ।
ତୁମ ଠାରେ ଭାବ ରଖିଲି ମାଧବ
ସୁଖଦୁଃଖ ଅଜାଡିଲି,
କେତେ ହୀନିମାନ କର ପ୍ରାଣଧନ
ବହୁ ଲୋକହସା ହେଲି ।
ଅନ୍ତର କଥାତ ବୁଝିପାର ବୋଲି
ଅନ୍ତର୍ଯ୍ୟାମୀ ବୋଲାଉଛ,
ବନ୍ଧୁର ଅନ୍ତର ବୁଝିକି ନପାର
ମିଛେ ଭାବ ଲଗାଉଛ।
ବିଶ୍ବାସ ଆବୋରି ତୁମ ଗୁଣ ସ୍ମରି
କହିଥିଲି ମନକଥା,
ଜାଣି ବି ସକଳ କିଆଁ ପ୍ରତିକୂଳ
କୂଳ ଲଙ୍ଘିଲାଣି ବ୍ୟଥା।
ଲାଞ୍ଚ ଦେଉଛନ୍ତି କାଞ୍ଚନ ସତେକି
ବଡପଣ୍ଡା ସମାଜର,
ତବତ ଭାତକୁ ନିଅଣ୍ଟ ତିଅଣ
ଦୁଃଖିମରେ ବାରବାର।
ବଡ ବଡିଆର ବନ୍ଧୁ ଯଦି ତୁମେ
ଭାବ କିଆଁ ଲଗାଇଲ,
ଖୁସିରେ ତ ଥିଲି ଭାଗ୍ୟକୁ ଆଦରି
ବିଶ୍ବାସେ ବିଷ ବୋଳିଲ।
କାନ୍ଦି କାନ୍ଦି ମରେ ତୁମ ଶ୍ରୀ ଛାମୁରେ
ନହୁଅ ଆଉ ନିଷ୍ଠୁର
ତୁମ ବିନା ମୋର ନାହିଁ ଯେ ନିସ୍ତାର
ଉଦ୍ଧର କଳାଠାକୁର।
ଲୀଳା ତୋ ବାଧୁଛି କ୍ଳେଶ ମୁଁ ପାଉଛି
କହିଦେଲି ମନଭରି।
ରଖ ଅବା ମାର, କ୍ଷମାର ସାଗର
ଶରଣ ଗଲି ତୁମରି।