ମୁଁ କାର, ନାଶ କର
ମୁଁ କାର, ନାଶ କର
ସକାଳ ଜଣାଣ,ମୁଁ - କାର, ନାଶ କର
*********************
ଏସଂସାର ଲୀଳା ଅତିବ ବିଚିତ୍ର
ଆଦି ଅନ୍ତ ମିଳେନାହିଁ ,
ନିଜ ଇଚ୍ଛାମତେ କିଛି ବି ହୁଏନି
ସବୁ କରେ, ଭାବୁଥାଇ।
ଜନ୍ମ ମୃତ୍ୟୁ ଯେତେ ଜଗତେ ଘଟଇ
ସର୍ବକର୍ତ୍ତା ଜଗନ୍ନାଥ,
କର୍ମ ଅନୁସାରେ ଜନମ ମିଳଇ
ବିଷମ ଜଟିଳ ପଥ
ମୋର ମୋରବୋଲି ଜଗତଗୋଟାଏ
ସବୁ ଅଟଇ ନଶ୍ୱର,
ଯାହାସବୁ ଜୀବ ଛାଡ଼ିବ ସଂସାରେ
ଗୋଟାଇ ହୁଏ ଅସାର।
ନିଜ ଭାଗ୍ୟ ନିଜ ଅଧିନେ ନଥାଏ
ପରକୁ ଅଧୀନ କରେ,
ମାୟାର ଅଧୀନ ମାୟାଧର ତୁମେ
ହସୁଥାଉ ନିରନ୍ତରେ।
ଅଢେ଼ଇ ଦିନକୁ ବଡିମା ଦେଖାଇ
ମାୟା ଜାଲେ ଗଲି ପଡି
ଆୟୂର ସୂରୁଜ ହରାଇଲା ତେଜ
ବୟସ ଗଲାଣି ଗଡି।
ଛାଡିଯିବ ପ୍ରାଣ ହୋଇବ ମରଣ
ଯିବି ମୁଁ ମଶାଣି ଭୂଇଁ
ସଂସାର ଠିକଣା ସେହିଠାରେ ଶେଷ
ଯେଦିନ ଜଳିବ ଯୁଇ।
ଏତେ ଦିନପରେ ବୁଝିଲି ସାଆନ୍ତେ
ମୋର ବୋଲି କିଛି ନାହିଁ,
ସବୁ ତ ତୁମରି ତୁମେ ଅଧୀଶ୍ଵର
ତୁମଦାନେ ଚଳୁଥାଇ।
ସୁପ୍ତ ଅହଙ୍କାର ଗୁପ୍ତ ଅହଙ୍କାର
ସର୍ବ ମୂଳ ମୁଁ-କାର.
ମୁଁ କାର ମାତର ନାଶ କର ପ୍ରଭୁ
ଚରଣେ ଶରଣ ତୋର।
କେଉଁଟୁ ଆସିଚି କେଉଁଠିକି ଯିବି
ଠିକଣା ତ ଜଣା ନାହିଁ,
ହାତ ଧରି ପ୍ରଭୁ ରାସ୍ତା ଦେଖାଇବ
ଦୀନବନ୍ଧୁ ହେ ଗୋସାଇଁ।
===================
ଡଃ ପ୍ରଶାନ୍ତ କୁମାର ବିଶ୍ବାଳ।
PM SHRI JNV DHENKANAL
