ଶ୍ରୀରାମଙ୍କ ଲଙ୍କା ଯାତ୍ରାନୁକୂଳ
ଶ୍ରୀରାମଙ୍କ ଲଙ୍କା ଯାତ୍ରାନୁକୂଳ
ଉପେନ୍ଦ୍ର ଭଞ୍ଜ
(ବୈଦେହୀଶ ବିଳାସ)
ବଳିଲା ରାଘବ ଆଶା ସୀତା ପ୍ରାପତିରେ
ବିଚାରିଲେ ସିନ୍ଧୁ ପୋତି ଯିବା ପର୍ବତରେ ଯେ।।
ବୁଡ଼ିଗଲା ପକାଇଲେ କପି ଯେତେ ଗିରି,
ବୁଦ୍'ବୁଦ ନ ଦିଶେ ଜଳ ଫି ଫି କୃତ କରି ଯେ।।
ବିସ୍ମଇ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ
ବିନାଶନରେ ଶୟନ ସେ ଦର୍ଭଶୟନେ ଯେ।।
ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶଶିର
ବରଗିଲା ସେ ଶୁକ ସାରଣ କରି ଚାର ଯେ।।
ବିଭୀଷଣେ କହ ଜ୍ୟେଷ୍ଠଭ୍ରାତା ପିତା ସରି
ବୁଝି ନ ବୁଝି କୋପି ତା ବାଣୀ ପିତା କରି ଯେ।।
ବିଭୁତିକି ଭୁଞ୍ଜୁଥିଲୁ ବିଭୁତିଭୂଷଣେ,
ବଡ଼କୁଳେ ଜନମି ଶରଣ କି କାରଣେ ଯେ?
ବୋଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ,
ବାଦ ରଚାଇ ପିତୃବ୍ୟ ବାହୁଡା଼ଅ ସୈନ୍ୟ ଯେ।।
ବିହାୟସେ ବିହରି ସାଗର ଜିଣି ଯାଇ
ବର୍ତକ ସ୍ୱରୂପ ଧୃତ କେଁ କେଁ ଟିହୋ କହି ଯେ।।
ବିଖ୍ୟାତ କରୁ ବିଂଶତିକର କହିବାର
ବୋଧ ଉଭୟ ଭୟରେ ପଳାଇ ସତ୍ୱର ଯେ।।
ବାହୁଡ଼ି ରାବଣେ କହି ଶୁଣ ଦେବ ରିପୁ
ବୋଇଲା ଅନୁଜ ଯିବି ସୀତାଙ୍କୁ ସମର୍ପୁ ଯେ।।
ବଞ୍ଚିଲୁ ଅଙ୍ଗଦ ଅଙ୍ଗ ଦେବାରୁ କି ଧର୍ମେ,
ବଜ୍ରାଘାତ ସମ ତଳ ପ୍ରହାରିଲା ବ୍ୟୋମେ ଯେ।।
ବାଜିଥଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ,
ବିନ୍ଧ୍ୟ ଭାନୁ ତୋଷି ହେଳେ ବଞ୍ଚାଇ ଦଇବ ଯେ।।
ବଳ କେତେ ବୋଲୁଁ ବୋଲେ ଯେତେ ଶଙ୍ଖ ସେହି,
ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ।।
ବିତରଣେ ସାଗର କି ପାଞ୍ଚ ପଚାରିଲା,
ବିହେ ରାମ କୁଶଶଯ୍ୟା ପ୍ରତ୍ୟୁତ୍ତର ଦେଲା ଯେ।।
ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମେ।
ବୋଲେ କି କରିବ ଏଡେ ହୀନ ପରାକ୍ରମେ ଯେ।।
