କଳ୍ପବଟ
କଳ୍ପବଟ
ଆଈର ପୁରୁଣା ଚଉଁରା ତୁଳସୀ,ସନ୍ଧ୍ୟା ଦୀପ ସାଥେ ମହକି ଉଠେ,ଗୁଣୁଗୁଣୁ ତା'ର ଅସ୍ପଷ୍ଠ କଣ୍ଠରୁ ,ଝରିପଡ଼େ ଯେମିତି ମାଗୁଣି ମୁଠେ ।
ଆଜିବି ମୁଣ୍ଡରେ ଓଢଣା ପକେଇ,ବସିଛି ଝିଅର ସୁଖ ମାଗିକି, ଝିଅର ଜନମ ଶ୍ଵଶୁର ଘରକୁ,ଚାଲିଗଲା ସିଏ ବୋହୁ ସାଜିକି I
ତଥାପି ଆଈର ମାଆର ମନଟି,ନିତି ସଞ୍ଜ ହେଲେ ଚହଲି ଯାଏ,ଝିଅର ମଙ୍ଗଳ କାମନା କରି ଯେ,ଶୀତୁଆ ସଞ୍ଜରେ କୂଂହୁଳି ଥାଏ I
ଗୁଆ ଘିଅ ଢାଳି ଧୂପ ଦୀପ ଦେଇ,ମୁଣ୍ଡିଆଟେ ମାରେ ବୃନ୍ଦାବତୀଙ୍କୁ ,ସୁଖରେ ରଖିବୁ ଝିଅର ସଂସାର,ଦୁର୍ଦ୍ଦିନରେ ସାହା ହେବୁ ତାହାଙ୍କୁ ।
ହେଉ ସେ ପଉଷ ଅବା ଫାଲଗୁନ,ହେଉ ବୈଶାଖ କି କାର୍ତ୍ତିକ ମାସ,ପୁନେଇଁ ପରବ ହେଉ ବା ନ ହେଉ,ଆଈର ତୁଳସୀ ପୂଜା ଅଭ୍ୟାସ I
କିଏ ଯାଏ ପୁରୀ କିଏ ଚାରି ଧାମ,କିଏ ବୁଲେ ପୁଣି ମନ୍ଦିର ମଠ,ମୋ ଆଈର ସାହା ତୁଳସୀ ମହକ,ତାହା ଲାଗି ପରା ସେ କଳ୍ପବଟ ।
