STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଶ୍ରୀକ୍ଷେତ୍ରରେ ଚନ୍ଦନୋତ୍ସବ

ଶ୍ରୀକ୍ଷେତ୍ରରେ ଚନ୍ଦନୋତ୍ସବ

2 mins
200


ଚନ୍ଦନ ଯାତ୍ରା ସତ୍ୟ ଯୁଗରେ ବି

ହୋଇଥିଲା ଆୟୋଜନ

ନୃସିଂହ ଦେବ ହିଁ ଯାତ୍ରା ଭିଆଇଲେ

କ୍ରମେ ହେଉଛି ପାଳନ

ଦ୍ଵାପର ଯୁଗରେ ଅଜ୍ଞାତ ବାସରେ

ପଞ୍ଚୁପାଣ୍ଡବ ବୁଲିଲେ

ବିରାଟ ରାଜାଙ୍କୁ ଭେଟିଣ ସଭିଏଁ

ପରିଚୟ ଦେଇଥିଲେ

କୃଷ୍ଣ ବଳରାମ ସହ ପଞ୍ଚୁପାଣ୍ଡବ

ମିଳିତ ଦର୍ଶନ ଆଶା

ବିରାଟ ରାଜାଙ୍କ ଇଚ୍ଛା ପୂର୍ଣ୍ଣ ପାଇଁ

ଚନ୍ଦନ ଯାତ୍ରା ଭରଷା

ଜଳାଶୟ ପୁଣି କେଳି ମଣ୍ଡପରେ

ଜଳ କ୍ରୀଡା ହୋଇଥିଲା

ଉପଲବ୍ୟ ଆଉ ବିଭାସ୍ତୁ ନଗରେ

ଆୟୋଜନ କରାଗଲା

ଏ କଳି ଯୁଗରେ ଶ୍ରୀମନ୍ଦିରେ ଯାତ୍ରା

ସେହିପରି ହେଉଅଛି

ପଞ୍ଚ ମହାଦେବ ପଞ୍ଚୁପାଣ୍ଡବ ରୂପେ

ଜଳ କ୍ରୀଡା ଚାଲୁଅଛି।


ଶ୍ରୀମନ୍ଦିରେ ଯେତେ ପର୍ବ ହେଉଅଛି

ଚନ୍ଦନ ଯାତ୍ରା ନିଆରା

ସର୍ବାଧିକ ଦିନ ଲାଗି ରହେ ପର୍ବ

ରହିଅଛି ପରମ୍ପରା

ବୟାଳିଶି ଦିନ ଯାତ୍ରା ଲାଗି ରହେ

ବାହାର ଭିତର ହୋଇ

ଗ୍ରୀଷ୍ମ ଉତ୍ତାପ ରୁ ଉପଶମ ପାଇଁ

ଚନ୍ଦନ ଯାତ୍ରା ହୁଅଇ

ଏକୋଇଶି ଦିନ ଯାତ୍ରା ବାହାରେ 

ନରେନ୍ଦ୍ର ପୁଷ୍କରିଣୀରେ

ପୁଣି ଏକୋଇଶି ଦିନ ଶ୍ରୀମନ୍ଦିରରେ

ପୂର୍ଣ୍ଣ ବିଧି ବିଧାନ ରେ

ଅକ୍ଷୟ ତୃତୀୟା ରୁ ସ୍ନାନ ପୂର୍ଣ୍ଣିମା

ଦିନ ସଂଖ୍ୟା ବୟାଳିଶି 

ବୈଶାଖ ଶୁକ୍ଳ ତୃତୀୟା ତିଥି ଠାରୁ

ଜ୍ୟେଷ୍ଠ ଶୁକ୍ଲ ଚତୁର୍ଦ୍ଦଶୀ 

କୃଷ୍ଣ ବଳରାମ ଶ୍ରୀଦେବୀ ଭୂଦେବୀ

ପ୍ରଭୁ ମଦନ ମୋହନ

ପଞ୍ଚ ମହାଦେବ ହିଁ ପଞ୍ଚୁପାଣ୍ଡବ

ଯାତ୍ରାରେ ହୁଏ ମିଳନ

ମାନବୀୟ ଲୀଳା ପ୍ରକଟ ହୁଅଇ

ପୋଖରୀରେ ନାବ କେଳି

ତୂରୀ ଭେରି କାହାଳୀ ବାଜଇ

ସଙ୍ଗତେ ଭକ୍ତଙ୍କ ମେଳି।


ଅକ୍ଷୟ ତୃତୀୟା ପବିତ୍ର ତିଥିରୁ

ପୂର୍ଣ୍ଣ ଏକୋଇଶି ଦିନ

ନରେନ୍ଦ୍ର ପୋଖରୀ ଚାପ ଖେଳ ପାଇଁ

ବାହାରେ ସମ୍ପନ୍ନ ଚନ୍ଦନ

ମଧ୍ୟାହ୍ନ ଧୂପ ଶେଷ ହୁଏ ଯେବେ

ଜୀଉ ହୋଇଥାନ୍ତି ବେଶ

ଚନ୍ଦନ ଚର୍ଚ୍ଚିତ ପୁଷ୍ପ ସୁଶୋଭିତ

ମହମହ ହୁଏ ବାସ

ଜୟ ଜୟ ଧ୍ୱନିରେ ବିମାନ ବଡୁଏ 

ହୁଅନ୍ତି ଏକତ୍ର ସେଠାରେ

ଦଶ ଗୋଟି ଚଳନ୍ତି ପ୍ରତିମା ବିଜେ

ବିମାନ ଓ ପାଲିଙ୍କିରେ

ନରେନ୍ଦ୍ର ପୋଖରୀ କୂଳକୁ ଯାଆନ୍ତି

ଆନନ୍ଦେ ବଜାଇ ବାଜା

ପୋଖରୀ କୂଳରେ ଛାମୁଣ୍ଡିଆ ତଳେ

ଚଳନ୍ତି ପ୍ରତିମା ପୂଜା

ନରେନ୍ଦ୍ର ରେ ସଜ ହୋଇ ରହିଥାନ୍ତି

ନନ୍ଦା ଭଦ୍ରା ଦୁଇ ଚାପ

ନରେନ୍ଦ୍ର କୂଳରେ ଭକ୍ତଙ୍କ ଗହଳି

ହୃଦୟେ ଭକ୍ତି ଅମାପ

ରୂପା କାରୁକାର୍ଯ୍ୟ ସମ୍ପନ୍ନ ଚାପରେ

କୃଷ୍ଣ ବଳରାମ ଆସନ

ସାଥିରେ ଶ୍ରୀଦେବୀ ଭୂଦେବୀ ରହନ୍ତି

ପୁଣି ମଦନ ମୋହନ

ପଞ୍ଚୁପାଣ୍ଡବ ରୂପେ ମହାଦେବ ମାନେ

ଅନ୍ୟ ଚାପରେ ରହଣୀ

ଭକ୍ତଙ୍କ ଗହଳି ପୋଖରୀ ନିକଟେ

ଶୁଭେ ଜୟ ଜୟ ଧ୍ଵନୀ 

ପୂଜାପଣ୍ଡା ସିଂହାରୀ ଓ ଗରାବଡୁ 

ହଡ଼ପ ଖୁଣ୍ଟିଆ ସେବକ

ସୁଆର ବଡୁ,ପତ୍ରୀ ବଡୁ ସହିତ

ଥାଆନ୍ତି ପ୍ରତିମା ପାଖ

ଚାପ ଦ୍ବୟ ଘେରାଏ ବୁଲି ଆସନ୍ତି

ନରେନ୍ଦ୍ର ପୁଷ୍କରିଣୀ ରେ

ସ୍ନାନ ରୀତି ପୁଣି ସୁବାସିତ ଜଳେ

ତିନି କୁଣ୍ଡର ଭିତରେ

ପାଣି ଅବଗାହନ ପରେ ବେଶ ହୁଅନ୍ତି

ପ୍ରଭୁ ମଦନ ମୋହନ

ପ୍ରତିଦିନ ଭିନ୍ନ ଭିନ୍ନ ବେଶ ହୁଏ

ସମ୍ପୂର୍ଣ କୋଡ଼ିଏ ଦିନ

ବାହାର ଚନ୍ଦନ ର ଶେଷ ଦିନରେ

ଭଉଁରୀ ଖେଳ ବିଧାନ

ନୃସିଂହ ଜନ୍ମ ଆଉ ଭଉଁରୀ ଦିବସେ

ବିନା ବେଶରେ ଚନ୍ଦନ 

ଦିନ ଓ ରାତିରେ ଚାପ ଖେଳ ହୁଏ

ପୂର୍ଣ୍ଣ ବିଧି ବିଧାନ ରେ

ଏକୋଇଶି ଦିନ ବାହାର ଚନ୍ଦନ

ପୁଣ୍ୟ ମିଳେ ଦର୍ଶନରେ

ରାତି ଚାପ ଖେଳ ତିନି ଘେରା ହୁଏ

ଦିହୁଡ଼ି ଆଲୁଅ ଥାଇ

ଚାପ ଖେଳ ପରେ ସ୍ନାନ ବିଧି ହୁଏ

ସୁବାସିତ ଜଳେ ଧୋଇ


ଭିତର ଚନ୍ଦନ ବିଧି ରହିଅଛି

ଆଲଟ ଚନ୍ଦନ ଲାଗି

ଜଗତର ତ୍ରିତାପ ହରଣ ପାଇଁ

ଜୀଉଙ୍କୁ ଚନ୍ଦନ ଲାଗି

ସକାଳର ଛତ୍ର ଭୋଗ ପରେ ପରେ

ଚାମର ଚନ୍ଦନ ଲାଗି

ଚନ୍ଦନ କର୍ପୂର ଚୁଆ ଓ କେଶର

ମିଶ୍ରଣ ସହିତ ଲାଗି

ପୁଷ୍ପାଳକ ସେବକ ସଜେଇ ଦିଅନ୍ତି

ପୁଷ୍ପ ମାଳ ଆଭୂଷଣ

ଚନ୍ଦନ ବେଶକୁ ଦର୍ଶନ କରିଲେ 

ପାପ ହୁଅଇ ଖଣ୍ଡନ।


ମାନବୀୟ ଲୀଳା ବର୍ଣ୍ଣନା କରିବା

ନୁହଇ ଏତେ ସହଜ

ଜଗତର ନାଥ ଜୟ ଜଗନ୍ନାଥ

ପର୍ବ ତୁମ ଅନିବାର୍ଯ୍ୟ ।



Rate this content
Log in

Similar oriya poem from Abstract