STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଶ୍ରେୟଜୀବୀ

ଶ୍ରେୟଜୀବୀ

1 min
217

ମୁହିଁ ତ ଶ୍ରେୟଜୀବୀ ରକ୍ତପୋଷ୍ଯ ପ୍ରାଣୀ

ଆନର ଲହୁ ଲୁହ ସ୍ବେଦର ବିନିମୟରେ

କଷ୍ଟାର୍ଜିତ ବିଜୟଶ୍ରୀ ସାଫଲ୍ୟରେ ସଦା ସର୍ବଦା

ବସାଏ ଆପଣାର ସିଂହଭାଗ ବିନା ଦ୍ବିଧାରେ।

ଚତୁରେ ଚତୁରେ ବୁଣି ଶବ୍ଦର ମାୟାଜାଲ

ଆପଣା ବୁଦ୍ଧିମତ୍ତାର ସୁବିନିଯୋଗରେ

ମଧୁର ବଚନ ଭାଷି ଭାଇ ବନ୍ଧୁ କହି

ଚିତ୍ତ ସବୁରି କରି ନିଏ ଅପହରଣ କ୍ଷଣିକରେ।

ଯଦ୍ୟପି ଦୂର ଦୂର ଯାଏଁ ନଥାଏ ମୋହର

କେବେ ବି କେଉଁ ମହତ କାର୍ଯ୍ୟଧାରାରେ

ପ୍ରତ୍ୟକ୍ଷ ପରୋକ୍ଷ ଅଥବା ପ୍ରଛନ୍ନ ଭାଗିଦାରୀ

ତଥାପି ଶ୍ରେୟ ନେବାକୁ ମୁଁ ସବୁଠୁଁ ଆଗରେ।

ଯେହେତୁ ମଣଇ ମୁହିଁ ସଭିଙ୍କୁ ଅତି ଆପଣାର

ତାହାଙ୍କ ସାଫଲ୍ୟ ବି ଅଟଇ ଏକାନ୍ତ ମୋହର

ମୁହିଁ ଏଥି ଲାଗି ନ୍ଯାୟତଃ ସଂପୂର୍ଣ୍ଣ ହକଦାର

ଆସ୍ଫାଳନ ନୁହେଁ ଇଏ ହୃଦୟର ସ୍ପନ୍ଦିତ ଝଙ୍କାର।

ଏଇ ତ ଅଲିଖିତ ନିୟମ ଲେଖିଛି ଅଦୃଷ୍ଟ ବିଧାତା

ସଭିଏଁ ସଫଳତାର ଶ୍ରେୟରେ ଦୃଢ଼ ଭାଗିଦାର

ବିଫଳତାକୁ କେହିବି କରଇ ନାହିଁ ତିଳେ ଆଦର

ମୁଁ କିବା ହୋଇବି କୁହ ସୃଷ୍ଟିର ବିଧିରୁ ବାହାର?

ମୁହିଁ ତ ବାକ୍ଯବୀର ଶବ୍ଦର ସୌଦାଗର

ଶବ୍ଦର ଭେଳିକିରେ ସଭିଙ୍କୁ କରଇ ଭ୍ରମିତ

ସିଦ୍ଧ ଜାଦୁଗର କୁହୁକ ବିଦ୍ଯା ବିଷାରଦ

ମୋ ଜାଦୁଗରୀରେ ସାରା ଦୁନିଆଁ ଆଚମ୍ବିତ।

ଆନର ଶ୍ରେୟ ଲୁଟି ଲଭଇ ମୁଁ ପରମ ସନ୍ତୋଷ

ଶ୍ରେୟ ମୋର ଜୀବନ ଜୀଇଁବାର ଶ୍ରେଷ୍ଠ ଉପଲକ୍ଷ୍ଯ

ଶ୍ରେୟ ବିନା ମନ ମୋର ହୁଅଇ ନିରାଶ ଉଦାସ

ମୁହିଁ ଶ୍ରେୟଜୀବୀ ଶ୍ରେୟ ମୋର ଚିର ଅଭିଳାଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract