STORYMIRROR

Dharitri Das

Abstract Children

4  

Dharitri Das

Abstract Children

ଶ୍ରଦ୍ଧା ଓ ବିଶ୍ୱାସ

ଶ୍ରଦ୍ଧା ଓ ବିଶ୍ୱାସ

1 min
356

ଜୀବନ ସଂଗ୍ରାମେ ଜିତିବାର ଲକ୍ଷ୍ୟ

   ରଖିବୁ ଯେବେ ବାବୁରେ

ଜୀବନରେ ଶାନ୍ତି ନିଶ୍ଚୟ ଲଭିବୁ

   ଏକଥା ହେଜି ଥିବୁରେ।

ଆସୁ ଯେତେ ଝଡ଼ ଝଞ୍ଜା ଅବା ଦୁଃଖ

    ଡରିବୁ ନାହିଁରେ ତୁହି

ସାହସର ସହ    ମୁକାବିଲା କରି

    ଜୀବନ ତରୀକୁ ବାହି।

ପିତା ମାତା ଗୁରୁ ତାପରେ ଦେବତା

    ପୂଜି ଶ୍ରଦ୍ଧା ଭକ୍ତିଭରେ

ଲୟ ରଖିଥିବୁ   ଜୀବନ କାଳରେ

    ସଦା ତାଙ୍କରି ପୟରେ।

ଶ୍ରଦ୍ଧା ଭକ୍ତି ଆଉ  ବିଶ୍ୱାସରେ ବନ୍ଧା

    ଏ ସାରା ଜଗତ ଜାଣ

ଏକଥାକୁ କେବେ ହେଲେ ତୁହି ବାବୁ

    ମିଛ ବୋଲି ତ ନମଣ।

ଶ୍ରଦ୍ଧା ଓ ବିଶ୍ୱାସେ   ମିଳିଥାନ୍ତି ହରି

    ଅବିଶ୍ୱାସେ ପଡ଼େ ହୁରି

ଏହି ଚିରନ୍ତନ     ସତ୍ୟକୁ ନଭୁଲି

     ଚାଲିଥିବୁ କର୍ମକରି।

ଭକ୍ତିକୁ ନିକଟ    ଯୁକ୍ତିକୁ ସେ ଦୂର

    ସେହିତ କଳା ଠାକୁର

ବିଶ୍ୱାସ କରିଲା    ପ୍ରହଲ୍ଲାଦ ଛାର

    ଖମ୍ବରୁ ହେଲେ ବାହାର।

ସେଥିପାଇଁ ପରା  ମୋର ମନେ ଅଛି

     ଅଗାଧ ବିଶ୍ୱାସ ଭରି

ମରଣ କାଳରେ   ନିଶ୍ଚୟ ଯିବିରେ

     ମୁହିଁତ ବୈକୁଣ୍ଠ ପୁରି।

ଦୁନିଆର ପଶୁ    ପକ୍ଷୀ ଅବା ନର

     ସଭିଙ୍କୁ କରି ଶରଧା

ବିଶ୍ୱାସର ସହ    ବଞ୍ଚିବାକୁ ହେବ

    ଦେବୁନାହିଁ ମନେ ବାଧା।

କେହି ରହି ନାହିଁ   ରହିବେଟି ନାହିଁ

    ଏଭଵ ରଙ୍ଗ ମହୀରେ

ସର୍ବେ ନିଜନିଜ     ଅଭିନୟ ସାରି

    ମିଶିବେ ଏହି ମାଟିରେ।

ଅବିଶ୍ୱାସ ପାଶେ   ନ ଯିବୁରେ ବାବୁ

    ତେଣୁ କହୁଅଛି ତୋତେ

ଧର୍ମ କର୍ମ କରି     ଈଶ୍ୱରଙ୍କୁ ପୂଜି

    ବିଶ୍ୱାସୀ ହୋଇ ଜଗତେ।

ଦେଶ ମାତୃକାର    ଯଶ ବଢ଼ାଇବୁ

    ବିଶ୍ୱାସ ଭାଜନ ହେବୁ

ଶରଧା ଦାନରେ କେବେହେଲେ ତୁହି

    ଅବହେଳା ନ କରିବୁ।

ଏତିକି ହୋଇଲେ ମାତାରାଣୀ ତୋର

     ଜୀବନକୁ ଧନ୍ୟ ମଣି

ବୈକୁଣ୍ଠ ଗମିବ    ହରଷ ମନରେ

     ଜାଣିଥାଆ ପୁତ୍ରମଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract