ଶ୍ରାବଣଧାରା
ଶ୍ରାବଣଧାରା
ଶ୍ରାବଣର ଧାର ଆଶୀଷ ନିର୍ଝର
ଦେବ ଦେବଂକ କରରୁ,
କାଉଡିଆ ସାଜି ଭକତେ ନାଚନ୍ତି
କାନ୍ଧେ ବହି ନୀର ସେରୁ ॥
ବରଷକେ ଥରେ ଆସଇ ଶ୍ରାବଣ
ବୁହାଇ ନୀର ନିର୍ଝର,
କୃଷକ ବାପୁଡା ହରଷ ମନରେ
ବେଉସଇ ଜମି ତାର ॥
ଶ୍ରାବଣ ଧାରାରେ ନଦୀଏଁ ପୁରନ୍ତି
ଉଛୁଳାଇ ନିଜ ବକ୍ଷ,
କଳ କଳ ନାଦେ ଗିରୀବନ ପଦେ
ଗାଇଗାଇ ମଦମକ୍ଷ ॥
ସରସୀ ତଟରେ ବେଂଗ ବେଂଗୁଲିଏ
ବଜାଇ ଅପେରା ଭେରୀ,
ଶ୍ରାବଣ ଧାରାକୁ ସ୍ୱାଗତ ଜଣାଇ
ବଢାନ୍ତି ଧରିତ୍ରୀ ଶିରୀ ॥
ସବୁଜ
କ୍ଷେତରେ ହସୁଥାଏ ମହୀ
ଶ୍ରାବଣ ମଧୁ ଛିଟାରେ,
ମୀନେ ନାଚୁଥାନ୍ତି ଆନନ୍ଦ ବ୍ୟୁହରେ
ଜଳମୟ ଲହଡିରେ ॥
କଳା ବାଦଲର ଲୁଚକାଳି ଖେଳ
ଆକାଶେ ବସାଇ ହାଟ,
ଘଡଘଡି ନାଦେ ବିଜୁଳି ପଲଦେ
ସାଜିଥାଏ କଳାପାଟ୍ଟ ॥
ନବ ବଧୂ ମନେ ନବ ଜାଗରଣ
ସପନର ଗୁଂଜରଣ,
ଶ୍ରାବଣେ ଶ୍ରାବଣୀ ଶ୍ରାବଣ ସପନେ
ଭିଜାଏ ଅଂଗ ବସନ ॥
ଜଳଚରେ ଗାଇ ଶୁଭ ସାହାନାଇ
ବନ୍ଦାଇ ଧରଣୀ ପଦ,
ଆଶୀଷ ମାଗନ୍ତି ଶ୍ରାବଣ ପୟରେ
ବାଢି ଦୁଃଖ ପରମାଦ ॥