ଶୋଭା
ଶୋଭା
ଶିଶୁ ଶୋଭାପାଏ ମାଆର ଅଙ୍କରେ
ସରୋବରେ ନୀଳ କଇଁ
ସରଗ ରାଇଜେ ଜହ୍ନ ହସୁଥାଏ
ବାଦଲ ଉହାଡେ ରହି ।
ଅଜାଙ୍କର ହସ୍ତେ ଆଶା ବାଡିଟିଏ
ଗୁରୁଙ୍କର ହସ୍ତେ ବେତ
ଗାଆଁ ଆରମ୍ଭରେ ଗ୍ରାମବତୀ ଶୋଭେ
ମନ୍ଦିର ଚୂଡାରେ ନେତ ।
ଆଈଙ୍କ ପାଶରେ ପାନ ବଟୁଆଟେ
ଗୁଣୀ ପାଶେ ଶୁଦ୍ଧ ଜ୍ଞାନ
ଧନୀକର ପାଶେ ଧନ ଶୋଭାପାଏ
କରୁଥାଇ ଯଦି ଦାନ ।
ଅଗଣାରେ ଶୋଭା ତୁଳସୀ ଚଉରା
ଓଢ଼ଣୀରେ କୁଳବଧୂ
ନୀଳ କନ୍ଦରରେ କାଳିଆ ହସେରେ
ବାଣୀ ଶୋଭା ଥିଲେ ମଧୁ ।
କାନନେ ସୁମନ ରାଇଜେ ରାଜନ
ସଭାରେ ପଣ୍ଡିତ ଜାଣ
ସ୍ବାମୀ ପାଶେ ସତୀ ଅନ୍ଧାରରେ ବତୀ
ତୁଣୀରରେ ଥିଲେ ବାଣ ।
ଗିରିରେ ନିର୍ଝର ନିର୍ଝରରେ ଝର
ଶିଶୁ ଓଷ୍ଠେ ମିଠା ହସ
ବିଧୂରେ ଜୋଛନା ନୀଳଚକ୍ରେ ବାନା
ପଇଡରେ ଭରା ରସ ।
ଶିରାବଣେ ବାରି ଲଜ୍ଜାବତୀ ନାରୀ
ନାରୀ ମଥାନେ ସିନ୍ଦୂର
ଯୁଦ୍ଧ ବେଳେ ଭାଇ ବତ୍ସା ସାଥେ ଗାଈ
ଭକତ ମେଳେ ମନ୍ଦିର ।
