ଶିକ୍ଷା
ଶିକ୍ଷା
ଝୁଣ୍ଟିବା ପଡ଼ିବା, ପଡିକି ଉଠିବା
ଶିକ୍ଷା ଇଏ ଜୀବନର
ନିଜର ଯୋଗ୍ୟତା ଜାଣିଯିବୁ ତୁହି
କରିଯିବୁ ଚେଷ୍ଟା ଧୀର l
ଦୁଃଖ ସମୟରେ ନିଜର କେ ପର
ଚିହ୍ନି ହୋଇଯାଏ ଜନେ
ସୁଖର ସାଥି ତ ସଭିଏଁ ଏଠାରେ
ଦୁଃଖରେ ରହେ ମଉନେ l
କୂଳେ ଛିଡା ହୋଇ ଢେଉ ଯେ ଦେଖଇ
ତାକୁ ସିନା ଲାଗେ ଡର
ସେ କିଆଁ ଡରିବ ଯେଉଁ ନାବିକଟି
ନଈରେ କରିଛି ଘର l
ଅତି ଦ୍ରୁମ ଟିଏ ହେବାର ପାଇଁକି
ଲାଳସା ମନେ ନ ରଖ
ଦୁବ ଘାସ ଟିଏ ହୋଇଲେ ଲଭିବୁ
ଜୀବନେ ପରମ ସୁଖ l
ମଣିଷ ଚେହେରା ଦେଖିକି କେବେବି
ଚିହ୍ନି ନ ପାରିବୁ ତାକୁ
ବିଷ ପୂର୍ଣ୍ଣ କୁମ୍ଭ ମୁଖେ ପୟୋ ସମ
ଠକିଯିବୁ ଦେଖି ତାକୁ l
ଜୀବନ ପଥରେ ଅନେକ କଣ୍ଟା ଯେ
ଆସିବ ବାଟରେ ତୋର
ପାଦେ ଲହୁ ଥିବ ମନରେ ଉତ୍ସାହ
ଆଗେଇ ଚାଲେ ତୁ ବୀର l
ହାରିବୁନି କେବେ ନିରନ୍ତର ଲଢ଼ି
ଲକ୍ଷ୍ୟ ପଥେ ମାଡି ଚାଲ
ଯେତେ ବାଧା ଆସୁ ଝଡ଼ ଝଞ୍ଜା ସହି
କର୍ମ ତୁହି କରି ଚାଲ l
ଛୋଟ ପିମ୍ପୁଡି ଟି କେବେବି ହାରେନା
ଅବିରତ ଚେଷ୍ଟା କରେ
ଖସି ପଡୁଥାଏ ପୁଣି ଚଢୁଥାଏ
ବଡ଼ ଇମାରତ ପରେ l
ଚେଷ୍ଟା କରି କରି ସଫଳତା ପାଏ
ମନର ଦୃଢ଼ତା ତାର
ଚେଷ୍ଟା କରୁଥିବା ଲୋକଟି ର କେବେ
ହୁଏନାହିଁ ପରା ହାର l
ଅନ୍ଧାର ପଥରେ ଆଲୋକ ନଥିଲେ
ମନର ଆଲୋକ ଜଳା
ଡରିବା ପ୍ରବୃତି ତୋ ଜାତକରେ ନାହିଁ
ଏକା ଏକା ପାଦ ଚଳା l
ଦୁର୍ଲଭ ଜନମ ମଣିଷଟି ପରା
ଭବରଙ୍ଗ ଭୂମି ତଳେ
ପଶୁ କୀଟ କିବା ତୋ ସମ ହୋଇବେ
କି ପାଇଁ ଭ୍ରମୁ ତୁ ହେଳେ l
ବିବେକ ବୁଦ୍ଧିଟି ଭଗବାନ ପରା
ତୋତେ ଦେଇଣ ଅଛନ୍ତି
ସେହି ଗୁଣକୁ ତୁ ବ୍ୟବହାର କରି
ସଭିଙ୍କୁ ବାଣ୍ଟି ଯା ଶାନ୍ତି l