ଶୀତୁଆ ଦିନଟିଏ
ଶୀତୁଆ ଦିନଟିଏ
କୁହୁଡି ର ଆଲିଙ୍ଗନେ ରାତି ସାରା
ନଈପଠା ଛାଡୁଥାଏ ଉଷୁମ ନିଶ୍ୱାସ
ପଦୁଁଅ ପୋଖରୀ ଖୋଜେ
କଅଁଳ ଖରାର ପରସ
ଫାଙ୍କା ଫାଙ୍କା ରାତିର ଆକାଶ
ମିଟି ମିଟି କୁଆଁ ତାରା
ଭଙ୍ଗା ଜହ୍ନ ଢୁଳାଉ ଥାଏ
ମୁହଁ ଟା ନିଦୁଆ
ସାରା ରାତି ଅନିଦ୍ରା ରେ
କଇଁ ଭାଂଗଇ ଅଳସ
ଶୀତ କୁ ଅଣ୍ଟାରେ ଖୋସି
ଵତୁରା ଧାନ ଛାଣୁଥାଏ ବଉ
ଧାନ ଉଷୁନା ହାଣ୍ଡି ର ବାମ୍ଫ
ଚୁଲି ନିଁଆ ଦାଉ ଦାଉ
ସିଝୁଥାଏ ଅମୃତ ର ଫଳ
ଦମ୍ଭିଲା ମୁହଁରୁ ଝଡି ପଡେ
ବୁନ୍ଦା ବୁନ୍ଦା ଝାଳ
ମୁଁ ଶୁଣି ପାରେ ନଡ଼ିଆ ବାହୁଙ୍ଗାରୁ
ଟପ୍ ଟପ୍ ଖସୁଥାଏ କାକରଫୁଲ
ଭାଵି ଵାକୁ ଭଲ ଲାଗେ ତମ କଥା
ଆହୁରି ଉଷୁମ ଲାଗେ ରେଜେଇ ର କୋଳ
ପାହାନ୍ତି ପହରୁ ଧାଡ଼ି ବାନ୍ଧି ଯାଉ ଥାନ୍ତି
କିଏ ସବୁ ଶୁଭୁଥାଏ ପାଉଁଜିର ରୁଣୁଝୁଣୁ ଗୀତ
ଆର ଖଞ୍ଜା ନୂଆବଉ ଲିଭିନି
ପାଦରୁ ଅଳତା ଫୁଲମତୀ ମନ
ଛାଡେନି ନିଲଠିଆ ପଣ
ଆଉଟିକେ ରହନ୍ତା କି ଶୀତ
ଧୂଳି ଧୂଆଁ ଗାଁ ଦାଣ୍ଡ କୋଳାହଳ
ପାଉଁଶିଆ ଗୋଡ଼ ହାତ
ଫୁରୁଫୁରୁ ନୁଖୁରା ଵାଳ
ଖରା ପିଠିଆ ପଖାଳ କଂସା
ଖଳାଵାଡି ମିଛିମଛିକା ସାଗଭାତ
ଵଣଭୋଜି ଖେଳ
ଆଉ ଟିକେ ରହନ୍ତା କି ଶୀତ
ଚୁଟ କି ନି ହାତରୁ ଖସି ଯାଏ ବେଳ
ଧାନଵିଲ ଆରପଟୁ ମାଡ଼ି ଆସେ ଶୀତ
ଖସି ଖସି ଯାଏ ଖରା
ଖୋଜୁ ଖୋଜୁ ଖରାଵେଳ
ଢାଙ୍କି ଢୁଙ୍କି ଶୋଇ ପଡେ ସାରା ଗାଁ
ନିଶୁନ ନିଃଶୁନ ଲାଗେ ଗାଁ ଦାଣ୍ଡ
ରାତି କେତେ ??
ମାତ୍ର ଦୁଇ ଘଡି ବେଳ
