STORYMIRROR

Pravat Kumar Nayak

Abstract

2  

Pravat Kumar Nayak

Abstract

ଶୀତକୁ ପଦେ

ଶୀତକୁ ପଦେ

1 min
408

ଶୀତଲୋ ତୋତେ କହୁଛି ଆଜି 

   ମୋର ହୃଦୟ ଭାଷା , 

କଥା ମୋ ତୁହି ରଖିବୁ ବୋଲି 

  ମୋ ମନେ ଅଛି ଆଶା


ତୋହରି କୋପେ ଥରଇ ତନୁ 

   ଥରଇ ତରୁ ଲତା ,

ଝରଣା ଜଳ ବରଫ ହୁଏ 

  ବୁଡଇ କାର ଚେତ୍ତା


ସେ ଲାଗି ଆଜି ମୋ ମନେ ଭରେ 

   ଅନେକ ଶଙ୍କା ବ୍ୟଥା,

ଶୀତ ଲୋ ତୋତେ କହୁଛି ଆଜି 

  ବୀର ଯବାନ କଥା

 

ଦିବା ନିଶି ସେ ସମାନ ମଣି

   ରୁହଇ ବରଫରେ ,

କେବେସେ କାଟେ ଜଙ୍ଗଲେ ରାତି 

  କେବେ ପାହାଡ଼ ପରେ


ଭୁଲଇ ତାର ଜୀବନେ ସୁଖ 

  ରକତ କରି ପାଣି ,

ଦେଶର ରକ୍ଷା ପାଇଁ ସେ ଭୋଗେ

  ଅନେକ ଦୁଃଖ ଜାଣି

 

ତେଣୁଲୋ ଶୀତ ତୋହରି କୋପ

  କମାଇ ଦେବୁ ତୁହି ,

ମୋ ଦେଶ ବୀର ଯବାନ ପୁଅ

  ରହି ଅଛନ୍ତି ଯହିଁ


ଦ୍ୱିତୀୟ କଥା କହୁଛି ଶୀତ

  ଶୁଣ ଲୋ କାନ ଦେଇ ,

ମୋ ଦେଶ ବୀର କୃଷକ ପୁଅ

  ତା' ଦାନ କଥା ତୁହି


ରକତ ତାର ଝରାଇ ଝାଳେ

  ଖଟଇ ଦିନ ରାତି ,

ବୁଡା କାକର ଶୀତଳ ବାଆ

  ଥରାଏ ଯହିଁ ଛାତି


କରମ ଯୋଗୀ ରୂପରେ ସିଏ

  କରମ କରି ଯାଏ ,

ତାହାରି ପାଇଁ ସଂସାର ଆଜି

  ଆହାର ମୁଠେ ପାଏ


ତେଣୁ ଲୋ ଶୀତ ଜଡକୁ ତୋର

  କମାଇ ଦେବୁ ତୁହି ,

 ତା ଦାନ କଥା ପାଶେ ମୋ ମଥା

  ଯାଉ ଅଛି ଲୋ ନଇଁ


ଶେଷରେ ତୋତେ କହୁଛି ଶୀତ

  ଶୁଣ ଲୋ ଧ୍ୟାନ ଦେଇ ,

ବାଳୁତ ବୃଦ୍ଧ ଉପରେ ତୁହି

  କୋପ କରିବୁ ନାହିଁ


ଜୀବନ ଯାକ ସଂସାର ଦୁଃଖ

  ସହିଛି କେତେ ସେହି ,

ବାର୍ଦ୍ଧକ୍ୟ କାଳ ହୋଇ ଅଚଳ

  ମୃତ୍ୟୁକୁ ଅଛି ଚାହିଁ


ବାଳୁତ ଶିଶୁ ଈଶ୍ୱର ସମ

  ଏ କଥା ଜାଣୁ ତୁହି ,

କୋମଳ ଅଙ୍ଗ ତୁମର ସଙ୍ଗ

  ପାରେନା କେବେ ସହି


ଏ ଚଉ ବର୍ଗ ମାନବ ପରେ

  କୋପ କରିବୁ ନାହିଁ,

ଏତିକି ମୋର ମିନତୀ ତୋତେ

  ରଖିବୁ ଶୀତ ତୁହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract