STORYMIRROR

Pravat Kumar Nayak

Inspirational

3  

Pravat Kumar Nayak

Inspirational

ମା-ମାଟି କଥା

ମା-ମାଟି କଥା

1 min
306


    ଗର୍ଭବାସଠାରୁ ବାଲ୍ୟକାଳ ଯାଏ 

      ମାଆ ପଦାଘାତ ସହେ ,

   ମାଟି ମାଆ ସହେ କେତେ ପଦାଘାତ 

      ଏନ୍ତୁଡିରୁ ଜୁଇ ଯାଏ । .....(୧)


   ବକ୍ଷରୁ ଅମୃତ ଝରାଇ ଜନନୀ 

     ଜୀବନ ଆମକୁ ଦିଏ ,

  ଛାତି ଚିରି ତାର ସୁନାର ଫସଲ 

    ମାଟି ମା' ଆହାର ଦିଏ ।.......(୨)


  ପୋଛି ଦିଏ ମାଆ ଦୁଃଖ ଶୋକ ଲୁହ 

     ସ୍ନେହ ବୋଳା ପଣତରେ ,

   ମାଟି ମା' ଶୁଣାଏ ଜୀବନ ସଙ୍ଗୀତ 

     ସୁଲୁ ସୁଲୁ ସମୀରରେ ।.... (୩)

 

   ବାଲ୍ୟ କାଳେ କେତେ ନାଚ ଗୀତ ଖେଳ 

      ମାଆ କୋଳେ ବିତିଯାଏ 

   ଜୀବନର ଖେଳ ମାଟି ମା' କୋଳରେ 

     ଏମଣିଷ ଖେଳି ଥାଏ ।... (୪)


   ଆମରି ଜୀବନେ ସୁଖ ଭରି ମାଆ 

      ତା' ସୁଖ ଯାଇଛି ଭୁଲି ,

   ସୁଖ ସମ୍ପଦର ସକଳ ଭଣ୍ଡାର 

     ମାଟି ମା' ଦେଇଛି ଖୋଲି ।...(୫)


   କେବେ କିଛି ମାଆ ନ ଚାହିଁ ଆମଠୁ 

      ନିସ୍ଵାର୍ଥରେ ଦେଇ ଯାଏ ,

  ମାଟି ମାଆ କୋଳେ ଆମକୁ ଛାଡି ସେ 

     ମାଟିରେ ବିଲୀନ ହୁଏ ।....(୬)


   ମାଟି ମାଆ ଆହା ପାଳଇ ଆମକୁ 

      ଜୀବନ ସରିବା ଯାଏ ,

   ଜୁଇରେ ଜଳିଲେ ତା ଦେହବି ଜଳେ 

     ଗୁମୁରି ସେ କାନ୍ଦୁ ଥାଏ ।.....(୭)


   ମାଆ ମାଟି ଏଣୁ ସ୍ୱର୍ଗ ଠାରୁ ବଡ଼ 

     ପ୍ରଭୁ ରାମ ବନ୍ଦିଥିଲେ ,

   ଆସରେ ସଭିଏଁ ଦୁହିଁଙ୍କ ଚରଣ 

     ପୂଜିବା ଭକତି ଫୁଲେ ।.....(୮)


  ମାଆ ମାଟି ଦାନ ମନରୁ କେବେରେ 

     ଯିବା ନାହିଁ ଆମେ ଭୁଲି ,

  ତା' ମାନ ମହତ ରଖିବା ଆମେରେ 

    ପ୍ରାଣ ପଛେ ଯାଉ ଚାଲି ।.....(୯)


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational