ଫଗୁଣ ଯାଇଛି ଚାଲି
ଫଗୁଣ ଯାଇଛି ଚାଲି
ଫୁଟିଥିଲା ସ୍ମୃତି ସବୁ ଏ ମନ ଗହନ ବନେ
କେତେ ରୂପ ରଙ୍ଗ ଆଉ ବାସନା ଖେଳାଇ ,
କୋକିଳର କୁହୁ ତାନ ବଉଳ ପେନ୍ଥିର ବାସ
ଝର ଝର ଝରୁଥିଲା ମନକୁ ଝୁମାଇ ।
ନଈ ପଠା ଆମ୍ବ ତୋଟା ସୋରିଷ ଫୁଲର ହସ
ଲାଗିଥିଲା ମନେ ମୋର ପ୍ରୀତିର ପାର୍ବଣ ,
ଭିଜୁଥିଲି ରାତି ରାତି ଜୋଛନାରେ ଏକା ବସି
ଗଣୁଥିଲି ତୁମ ଆସିବାର ତିଥି ବାର ଦିନ ।
ବୈଶାଖର ରୋଦ୍ରତାପ ମୋ କାନରେ କହି ଗଲା
ତୁମେ କାଳେ ଫେରିବନି ଏ ଫଗୁଣ ସାଥିରେ ,
ଶିନ୍ଥିରେ ସିନ୍ଦୁର ନାଇ ପ୍ରେମକୁ କବର ଦେଇ
ସୁନା ଘର ଗଢ଼ିବକୁ ଚାଲି ଗଲ ଆଉକା ସାଥିରେ ।
ସେବେଠୁ ଜଳୁଛି ମନ ଆତ୍ମା ଇନ୍ଦ୍ରିୟ ପରାଣ
ଧୀରେ ଧୀରେ ଝାଉଁଳିଛି ପ୍ରେମ ଫୁଲ ବନ ,
କି ଅବା କରିଲି ଦୋଷ ପ୍ରେମେ ମୋ ଭରିଲ ବିଷ
ମୋ ଯଉବନ ଜଳିଗଲା ତୁମ ପାଇଁ ଜାଣ ।
ମନ ଏଠି ଛାଡି ଗଲ ଶରୀରକୁ ନେଇ ଆହା
ପାଲଟିଲ ଗନ୍ଧହୀନ ବଣର ପଳାସ ,
ଜନମ ଜନମ ପାଇଁ ପ୍ରେମ ମୋ ଅମର ରହୁ
ଏ ଜୀବନ ସରିଯାଉ ଭରି ଅବଶୋଷ ।
ଆଜି ତୁଠର ପଥର ସାଜି ନଦୀକୁ ମୁଁ ଶୁଣାଉଛି
ଦୁକୁ ଦୁକୁ ଜଳୁଥିବା ମୋ ପ୍ରେମ କାହାଣୀ ,
ଫଗୁଣ ଯାଇଛି ଚାଲି ମୋ ଆଖିରେ
ଭରି ଦେଇ ଅଶରା ଏ ଲୁହର ଶ୍ରାବଣୀ ।
ପ୍ରଭାତ କୁମାର ନାୟକ
ମଧୁପୁର , ଭଦ୍ରକ , ଓଡିଶା