STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ଶୀତ

ଶୀତ

1 min
339

ସଞ୍ଜ ନ' ଆସୁଣୁ

ଶୀତ ଥରେଇ ଦେଉଛି ଛାତି

ଥରି ଉଠୁଛି ରାତିର ନିଃଶବ୍ଦ ପ୍ରହର

ଥରି ଉଠୁଛି ସୋରିଷ କ୍ଷେତ,

ବରଗଛର ଫୁଙ୍ଗୁଳା ପତ୍ରମାନେ

ଥରିଯାଉଛନ୍ତି ଶୀତର ପ୍ରକୋପରେ,

ଲୁଚି ଯାଉଛନ୍ତି ଲମ୍ବା ଲମ୍ବା ଡାଳର

ଝଙ୍କାଳିଆ ଆସ୍ତରଣ ଆଢୁଆଳେ 

ବନ୍ଦ ଦୋକାନର ବାରଣ୍ଡା ଉପରେ 

ବୁଲା କୁକୁରଙ୍କ ସଜବାଜ

ଆତ୍ମରକ୍ଷା କରିବାକୁ ଶୀତର ଦାଉରୁ


ନିଦ ମଳମଳ ଆଖିରେ ଅଳସ ଭାଙ୍ଗୁଛି ରାତି

ଜାକି ଜୁକି ହେଉଛି ପୃଥିବୀ

ନିଆଁ ଉହ୍ମେଇରେ ଶୀତ ମୁରୁକି ହସୁଛି

ରେଜେଇ ଓ କମ୍ବଳର ଉଷୁମ ଆବରଣ ତଳେ

ଶୀତ ବି ଖୋଜୁଛି ନିଜର ଠିକଣା,

ନିର୍ଭୟ ଆଶ୍ରୟର ଏକ ସ୍ବଚ୍ଛ ମାନଚିତ୍ର 

ନିଜକୁ ଲୁଚାଇବା ପାଇଁ

ହୁଏତ ହୋଇପାରେ କିଛିକ୍ଷଣ ,

ଆଉ ଖୋଜୁଛି ଏକା ଏକା ମାଟିରୁ ଆକାଶ

ରେଳ ଷ୍ଟେସନ ଅବା କଂକ୍ରିଟ୍ ରାସ୍ତାର ପ୍ରଶସ୍ଥ ଛାତିରେ

ଆଶ୍ରୟ ନେଇଥିବା କିଛି ଫୁଙ୍ଗୁଳା ଦେହର ସ୍ପର୍ଶକୁ


ଶୀତ ବି ଡରିଯାଉଛି ବେଳେ ବେଳେ

ଚିତ୍କାର କରୁଛି ନିର୍ଜନ ଦ୍ବୀପରେ, 

ଘୂରିବୁଲୁଛି ଉତ୍ତର ମେରୁ ପୁଣି ଦକ୍ଷିଣ ମେରୁ

ନଦ ନଦୀ ପାହାଡ ପର୍ବତ 

କଳା ମଚମଚ ବହଳ ଅନ୍ଧାର ,

ଅଣ୍ଡାଳୁଛି ନିଜ ଭାଗ୍ୟ ଓ ଭବିଷ୍ୟ

ଏଣେତେଣେ ବିଛାଡି ହୋଇ ପଡିଥିବା

ଭଙ୍ଗାକାଚର ଟୁକୁରା ଖଣ୍ଡ ଭଳି


ବେସୁରା ଲାଗୁଛି ପକ୍ଷୀମାନଙ୍କ ସ୍ବର

ରହି ରହି ଶୁଭୁଛି ନିରୋଳା ରାତ୍ରିର

କାକର ଭିଜା ମୃଦୁ କମ୍ପନ 

ନିଃଶବ୍ଦ ପ୍ରହରମାନ ଶବ୍ଦାୟିତ ହେଉଛନ୍ତି

ଶୀତର ଛମ୍ ଛମ୍ ପାଉଁଜି ଶବ୍ଦରେ


କିଛି ସ୍ବପ୍ନ ଓ କିଛି ସ୍ମୃତିର ଛକାପଞ୍ଝା ବେଳେ

ଶୀତ ବି ଶୀତେଇ ଯାଉଛି ଆପଣା ଛାଏଁ ଛାଏଁ 

ବାଡିପଟ ଉଈହୁଙ୍କା ଭଳି 

ମୁଣ୍ଡ ଟେକି ଚିତ୍କାର କରୁଛି ଶୀତ,

ନଈପଠା ଗହିରୀ ବିଲରେ 

ଆଖି ମିଟିମିଟିକରୁଛି 

ଜଡ ପାଲଟି ଯାଉଛି ସତେ ଯେପରି 

ବୋଧହୁଏ ନିର୍ବାଣ ଖୋଜୁଛି ଶୀତ 

ମଣିଷଙ୍କ କୋଳାହଳ 

ପୁଣି ଟଣା ଓଟରା ଖୁନ୍ଦାଖୁନ୍ଦି ଜୀବନ ଭିତରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract