ଶୀତ ସନ୍ଧ୍ୟାରେ ଭ୍ରମଣ
ଶୀତ ସନ୍ଧ୍ୟାରେ ଭ୍ରମଣ
ପଶ୍ଚିମ ଆକାଶ କଳା ଓଢଣୀରେ
ମୁହଁ ଲୁଚାଉଛି ରବି
ପୂରୁବ ଆକାଶେ ହସ ହସଜହ୍ନ
ଅପୂର୍ବ ଅଦ୍ଭୁତ ଛବି ||
ଉତ୍ତର ଦିଗରୁ ଶୀତୁଆ ପବନ
ବହିଲାଣି ଥିରିଥିରି
ଗାଢ କଳାଛାଇ ସାଥେ ଧରି ଆସେ
ଧରା ପୃଷ୍ଠେ ବିଭାବରୀ ||
ନିଜ ନିଜ ନୀଡେ ଶାବକଙ୍କୁ ଦେଖି
ଆତ୍ମହରା ସର୍ବ ପକ୍ଷୀ
କର୍ମଜୀବୀ ସର୍ବେ ଘରକୁ ଫେରନ୍ତି
ଖୁସି ଆତ୍ମୀୟଙ୍କୁ ଦେଖି ||
ପିନ୍ଧି ଶୀତବାସ ସ୍ମରି ପୀତବାସ
ଘରୁ ବାହାରିଲି ମୁହିଁ
ଚଉରା ମୂଳରେ ସଞ୍ଜବତୀ ଜାଳି
ଘରଣୀ ଘରେ ପଶଇ ||
ଦେଖିଲି ସକଳେ ତର ତର ହୋଇ
ଆତୁରେ ଫେରନ୍ତି ଘରେ
କର୍ମମୟ ନିଜ ଜୀବନକାଳରୁ
ଆଉ ଏକ ଦିନ ସରେ ||
ଆଜିର ଜୀବନ ଥିବ କି ନଥିବ
ଦେଖିବକି କାଲି ସୂର୍ଯ୍ୟ?
ସେ ପ୍ରଶ୍ନ ଉତ୍ତର ନାହିଁ ମୋତେ ଜଣା
ସବୁ ବିଧିଦ୍ବାରା ଧାର୍ଯ୍ୟ ||
ହାଡଭଙ୍ଗା ଶୀତ ବଢାଏ ପ୍ରକୋପ
ବାହାରେ ହୁଏନି ରହି
କିଆବୁଦା ମୂଳୁ ବିଲୁଆ ଶୃଗାଳ
ହୂ କେ ହୋ ରଡି ଛାଡଇ ||
ବାଉଁଶ ବଣରେ ଅବା ତରୁ ଡାଳେ
ନୀଡ ଫେରା ପକ୍ଷୀ ରାବ
କିଚିରି ମଚିରି ଶବଦ କ୍ରମଶଃ
ହୋଇଗଲାଣି ନିରବ ||
ମନ୍ଦିରୁ ଶୁଭଇ ଘଣ୍ଟ ଶଙ୍ଖ ଧ୍ବନି
ସାନ୍ଧ୍ୟ ଆଳତିର ବେଳ
ମସ୍ ଜିଦ୍ ଆଡୁ ଆଲ୍ହା ହୋ ଆକ୍ ବର
ଗୀର୍ଯାରୁ ଘଣ୍ଟା ତାଳ ,
ଧନ୍ୟ ଭାରତ ମୋ ଜନମ ଭୂଇଁ
ଯା କୋଳେ ହୋଇଛି ଜାତ
ସକଳ ଧର୍ମର ମହା ମିଳନରେ
ସର୍ବେ ସୁଖେ ଆତଯାତ ||
ନିଶାଗମେ କ୍ରମେ ଧରଣୀ ପୃଷ୍ଠରେ
ନିରବତା ବିରାଜିତ
ଦୂର ଝରଣାର ଝର୍ଝର ନାଦରେ
ଝିଙ୍କାରୀ ଶବ୍ଦ ମିଶ୍ରିତ ||
ଧାନ ବଦାଡିକୁ ଜଗିଛି କୃଷକ
ଜାଳି ବସିଅଛି ନିଆଁ
ବର୍ଷକ ଫସଲ ବଦାଡିରେ ଥୁଆ
ହାତୀରଡିରେ ଛାନିଆଁ ||
ପଥଧାରେ ବସି ଗରିବ ଭିକାରୀ
କାଠ ଜାଳି ବସିଅଛି
ନିଆଁର ଉତ୍ତାପେ ଶୀତର ଦାଉରୁ
ବଞ୍ଚିଵା ଚେଷ୍ଟା କରୁଛି ||
ତାରାଗଣ ମେଳେ ନୀଳ ଗଗନରେ
ଖିଲି ଖିଲି ହସେ ଜହ୍ନ
ଧରଣୀ ବକ୍ଷରେ ଶୀତରେ ଅତିଷ୍ଠ
ହୁଅଇ ଦରିଦ୍ର ଜନ ||
ଶୁଭ୍ର ଜୋଛନାରେ ପାରଦ ଧଉତ
ଜଳ ଗିରି ବନ ଦେଶ
ନିଦ୍ରା ଦେବୀ କୋଳେ ସର୍ବେ ନିଦ୍ରାଯାନ୍ତି
ଜନ କୋଳାହଳ ଶେଷ ||
ଦୂବଘାସ ଦେହେ କାକର ଟୋପାରେ
ଶୁଭ୍ର ଜୋତ୍ସ୍ନା ଆପତନ
ହୀରାଖଣ୍ଡ ପରି ଉଜ୍ଜ୍ବଳ ଦିଶୁଛି
କିଣିନେଉଅଛି ମନ ||
ସନ୍ଧ୍ୟାତାରା କ୍ରମେ ଲୁଚିଯିବା ଦେଖି
ଶେଷ ମୋ ସାନ୍ଧ୍ୟ ଭ୍ରମଣ
ଫେରିଲି ଗୃହକୁ କରିଲି ଭୋଜନ
ତାପରେ ନିଦ୍ରା ଗମନ ||