ଶୀତ ସକାଳ
ଶୀତ ସକାଳ
ପଉଷ ମାସ ରେ ପସରା ସଜାଇ
ମର୍ତ୍ତ କୁ ଓହ୍ଲାଏ ଶୀତ
ପୁର ପଲ୍ଲୀ ଗ୍ରାମ ଚାଷୀ କୁଳ ପ୍ରାଣ
ଆନନ୍ଦରେ ଗାଏ ଗୀତ ।
ଶୀତ ଋତୁ ଦିନ ହୋଇଥାଏ ଛୋଟ
ବଡ ଯେଣୁ ହୁଏ ରାତି
ସୂର୍ଯ୍ୟୋଦୟ ପୁଣି ହୁଏ ବିଳମ୍ବରେ
କୁହୁଡି କାକର ଅତି ।
ଦୂର ଦିଗବଳୟ ଦିଶେ ଧୂମ୍ରବର୍ଣ୍ଣ
ପାଣ୍ଡୁରଶ୍ରୀ ବୃକ୍ଷଲତା
ଶିଶିର ଲାଗଇ ଦୁର୍ବାଦଳ ମଧ୍ୟେ
ଇନ୍ଦ୍ରନୀଳ ବକ୍ଷେ ମୁକ୍ତା ।
ପଲ୍ଲୀ ଦାଣ୍ଡେ ଦାଣ୍ଡେ ବାଳ ସୂର୍ଯ୍ୟଙ୍କର
କଅଁଳ କିରଣ ପାଇଁ
ଶିଶୁ ବୃଦ୍ଧ ବୃଦ୍ଧା ଯୁବକ ଯୁବତୀ
ସମସ୍ତେ ଏକତ୍ର ହୋଇ ।
ଶୀତ ର ଦାଉରୁ ସୁରକ୍ଷା ପାଇଁ କି
ଜାଗା ଜାଗା ଧୂନି ଜାଳି
ପଲ୍ଲୀଗ୍ରାମ ବାସୀ ନିଆଁ ପୋଉଁ ଥାନ୍ତି
ଖୁସି ର ଅବିର ବୋଳି ।
ପଲ୍ଲୀ ପ୍ରାଣ ଧନ କୃଷକ ପ୍ରତ୍ୟୁଷୁ
ଉଠି ଧାନ ବିଲେ ଯାଏ
ଶୀତ କାକର କୁ ଖାତିରି ନକରି
କ୍ଷେତ କାର୍ଯ୍ୟେ ମନ ଦିଏ ।
ସୂର୍ଯ୍ୟମୁଖୀ ଆଉ ସୋରିଷ ର କ୍ଷେତ
ରବି ରଶ୍ମି ପରଶ ରେ
ସ୍ନିଗ୍ଧ ସୁମଞ୍ଜୁଳ ମନୋମୁଗ୍ଧକର
ଭ୍ରମରେ ଆକୃଷ୍ଟ କରେ।
ମଙ୍ଗଳ ଆରତି ଘଣ୍ଟ ଘଣ୍ଟା ଧ୍ୱନି
ପ୍ରାଣେ ପବିତ୍ରତା ଭରେ
ଧର୍ମ ପ୍ରାଣା ବୃଦ୍ଧା ଧର୍ମତ୍ମା ପୁରୁଷ
ଯାନ୍ତି ଦେବ ଦର୍ଶନରେ ।
ସହରୀ ଜୀବନେ ଶୀତ ସକାଳର
ମହତ୍ତ୍ୱ ନଥାଏ ସେତେ
ଶୀତ ର ସାରଲ୍ୟ ସନ୍ତର୍ପଣ ଭାଵ
ଭାରି ଭଲ ଲାଗେ ମୋତେ ।