STORYMIRROR

Baikunth Bihari Swain

Classics

4  

Baikunth Bihari Swain

Classics

ଶୀତ ସକାଳ

ଶୀତ ସକାଳ

1 min
35


     

ରଜନୀ ପାହିଲେ ପ୍ରଭାତ ହୋଇଲେ

         ସୁନେଲି କିରଣ ହସେ

ଝରା ଶେଫାଳୀ ର ମହକରେ ମହୀ

       ମହ ମହ ହୋଇ ବାସେ।।

ସାରୁ ପତର ରେ କାକର ବିନ୍ଦୁଟି

       ଢଳ ଢଳ ହୋଇ ଭାସେ

ନୀଳ ଆକାଶର ତାରକା ପରାଏ

      ଅହାକି ସୁନ୍ଦର ଦିଶେ।।

ଥର ଥର ହାତେ ବୁଢ଼ା ମଉସାଙ୍କ

        ଗରମ ଚାହାର ଢୋକ

ସତେ ଅବା ଲାଗେ ଦିନ ତମାମର

        ମରି ଯାଇଅଛି ଭୋକ।।

ଚେମି ଆଈ ମୋର କନ୍ଥା ଘୋଡ଼ି ହୋଇ

        ଉହ୍ମେଇ ପାଖରେ ବସେ

ପୁରୁଣା କଥାର ଗପ ପେଡ଼ି ଖୋଲି

        ନାତି ନାତୁଣୀଙ୍କୁ ଭାଷେ।।

ପାହନ୍ତା ପହରେ ସ୍ନାନ କାର୍ଯ୍ୟ ସାରି

         ସଜ କୂଳ ଭୁଆସୁଣୀ

ମନ୍ଦିର ଯାଇଣ ଦୀପ ଜଳାଇଣ

        ସୌଭାଗ୍ୟ ମାଗଇ ପୁଣି।।

ବାଡି ବଗିଚାରେ ଫୁଲ ଫଳ ହସେ

        ଘରଣୀ ହୁଅଇ ଖୁସି

ଆଳୁ ବାଇଗଣ ବଡି ଚୁର ସଙ୍ଗେ

         ସୁଆଦ ପଖାଳ ବାସି।।

ସବୁଜ କ୍ଷେତରେ ଧାନ କେଣ୍ଡା ଝୁଲେ

           ଚାଷୀ ଭାଇ ଉଲ୍ଲସିତ

ହିଡ ମୁଣ୍ଡେ ବସି କୋହଲା ପବନେ

          ଗୁଣୁ ଗୁଣୁ ଗାଏ ଗୀତ।।

ହଳଦୀ ରଙ୍ଗର ସୋରିଷ କ୍ଷେତଟି

        ଦିଶେ ଅତି ଶୋଭାବନ

ବାଟରେ ପଥିକ ଘଡ଼ିଏ ଦେଖଇ

        ମୋହିନିଏ ଜନ ମନ।।

ସୁରୁଜ ନଇଁଲେ ସଞ୍ଜ ଆସିଯାଏ

    ଗୋ ଗୋଷ୍ଠ ରୁ ଫେରେ ଗାଈ

କିଚିରି ମିଚିରି କାକଳି ଦେଇଣ

      ବିହଙ୍ଗ ନିଡେ ଫେରଇ।।

            

         

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics