ଶୀତ ରାଣୀ
ଶୀତ ରାଣୀ
ଥିରି ଥିରି ଆସି ଶୀତରାଣୀ ଯେବେ
ମୋହରି ଦୁଆର ଛୁଏଁ,
ମୋର ହୃଦଘର ଇଲାକାକୁ ଛୁଇଁ
କିଛିଦିନ ରହିଯାଏ।।
ଶୀତୁଆ ପରଶ ନିତି ଦେଉଥାଏ
ହେମାଳ ପବନ ସାଥେ,
ମୋ'ମନ ମଣିଷ ଦୂରରେ ଥିଲେବି
ପାଖେଇକି ଦିଏ ହାତେ।।
କେଉଁ ଚିତ୍ରକର ଲୁଚି ଲୁଚି ଆସି
ଶୀତ ରାଣୀ ସଙ୍ଗେ ମିଳି,
ତମାମ ରାତିଟା ସଜାଇ ଦିଅନ୍ତି
ହାତେ ଧରି ରଙ୍ଗ ତୂଳୀ।।
ସକାଳକୁ ଯେବେ ଗୋଲାପ ଫୁଲରେ
ଦେଖେ ମୁକୁତାର ହାର,
କେତେ ଉପମାରେ ଭରିଦିଏ ମୋର
ଧାଡ଼ି ସବୁ କବିତାର।।
କମ୍ବଳ ଭିତରେ ଉଷୁମ ଲାଗଇ
ଯେତେ ଶୀତ ପଛେ ହେଉ,
ତଥାପି ଶୀତଟା ଆନନ୍ଦ ଦିଅଇ
ଯେତେଦିନ ରହିଥାଉ।।
ସୋରିଷ କିଆରୀ ହଳଦୀ ପାଟରେ
ଦିଶୁଥାଏ ସୁନା ଗୋରୀ,
ଶୀତୁଆ ପବନେ ଲାଜେଇ ଯାଏସେ
ଓଢୋଣାକୁ ଟାଣି ଥିରି।।
ସୁନେଲି କିରଣ ଘାସ ଗାଲିଚାରେ
ଶୀତ ସକାଳରେ ଛୁଏଁ,
ରଙ୍ଗ ବେରଙ୍ଗର ମୁରୁଜ ସତେକି
ପକାଇ ଦେଇଛି କିଏ।।
ଭାରି ଭଲ ଲାଗେ କୁହୁଡି ଭିତରେ
ପ୍ରିୟତମ ମୁହଁ ମୋର,
ବାମ୍ଫ ଉଠା ଚାହା ପିଉଥାଉ ଦୁହେଁ
ଓଠ ଛୁଇଁ ବାର ବାର।