ଲାଲ୍ ମାଟିର ଲାଲ୍ ସଲାମ୍
ଲାଲ୍ ମାଟିର ଲାଲ୍ ସଲାମ୍
ଲାଲ୍ ମାଟିର ଲାଲ୍ ସଲାମ୍
ଘେନ ହେ ଶହୀଦ୍ ଘେନମୋର,
ଏକସ୍ତରୀ ତମ ଶ୍ରାଦ୍ଧବାର୍ଷିକୀରେ
ଘେନ ମୋର ଭକ୍ତି-ପୁଷ୍ପହାର ।
ତୁମ ସମାଧିର ପୀଠସ୍ଥଳେ,
ସର୍ବହରା ମୁଁ ଶାନ୍ତିର ସୁରେ
ତୁମଗୀତଗାଏଁ ତାଳେତାଳେ।।
ତୁମେ ଏ ମାଟିର ଚ଼ିର ବନ୍ଦ୍ୟ ହେ
ତୁମେ ମୁକ୍ତିର ମଧୁ ଛାନ୍ଦ,
ମମତାର ଝରାଶେଫାଳୀ ହେ ତୁମେ
ତୁମେହିଁ ତ ବିଶ୍ବ ବନ୍ଦ୍ୟ ।
ତୁମେ ଅଲିଭା ଶିଖାର ଜ୍ୟୋତି,
ସାଗରବେଳାର ଶାମୁକା ଗଦାରେ
ତୁମେଗୋଟେଗୋଟେ ମୋତି।।
ତୁମ ବୀରତ୍ବର ଅମଳିନ-ଗାଥା
ଇତିହାସୁ କିଏ ପଢି଼ନାହିଁ,
ବିଶ୍ବାସ ଆଉ ଅବିଶ୍ବାସର
ସଂଜ୍ଞା କିଏସେ ବୁଝି ନାହିଁ।
ତଥାପି ସମୟ ଧୋକାଦିଏ,
ସ୍ବାଧୀନତା ଆଜି ମଣିଷ ଭିତରେ
ସ୍ବେଚ୍ଛାଚ଼ାରିତାର ରୂପନିଏ।।
କାହିଁକି କେଜାଣି ଆଖିରେ ଆଖିରେ
ପରଳ ତ ଆଜି ଯାଏ ଘୋଟି,
କଲ୍ୟାଣକାରୀ ଚେତନା-ସମୂହ
ମଣିଷ ଭିତରୁ ଯାଏ ହଟି ।
ମାଟି ମାଆ ଛାତି ଯାଏଫାଟି,
କାରା-ସମ ଲାଗେ ଧରା-ସୁନ୍ଦର
ଅସହ୍ୟ ଅସହ୍ୟ ଜ୍ବାଳାଏଠି ।।
ଏଠି ଖାଲି ଆଜି ହିସା-ଇଗଲ୍
ସ୍ବାର୍ଥ ର ଉଗ୍ର-ଅଜଗର,
ବିଷ-ବଳୟରେ ବିଶ୍ବାସ ହଜେ
ନିଃଶ୍ବାସ ହୋଇଯାଏ ପର।
ଇଗଲ୍ ର ଉଗ୍ର ପଞ୍ଝାତଳେ,
ମାଟିର-କବିତା ଛଟପଟ ହୁଏ
ମହାକାଳ ହସେ ବିକଟାଳେ।।
ତଥାପି ତ ଆଜି ମୋ ମନ ତଳର
ଅକୁହାବେଦନା ଯେତେଯେତେ,
ରୁଦ୍ଧ କଣ୍ଠରୁ ଅଜଣା-ଆବେଗେ
ଝରି ଆସୁଅଛି ଅବା ସତେ।
ଆଖିରେ ଲହଡି଼ ଭାଙ୍ଗେ ଲୁହ,
ହେ ଶହୀଦ୍ ତୁମେ ଶୂନ୍ୟରେ ଥାଇ
ଅଭୟ ଆଶୀଷ ଟିକେ ଦିଅ ।।