ଶୀତ ପାଇଁ ଗୀତ
ଶୀତ ପାଇଁ ଗୀତ
ଶୀତୁଆ ସକାଳ କେଡ଼େ ମଜାଦାର
ଶିଶିର ମୁକ୍ତା ବରଷେ
ସବୁଜ ଘାସର ଅପରୂପ ଶୋଭା
ମନ ମୋହି ଦେଇଥାଏ ।
ସାଧବ ବୋହୂଟି ମଖମଲି ବେଶେ
ସବୁଜ ଶେଯରେ ଚାଲେ
ପିଲାମାନଙ୍କର ଆନନ୍ଦର ସୀମା
କହିଲେ କେବେ ନ ସରେ ।
ଗାଁ ଦାଣ୍ଡେ ସର୍ବେ ଧୂନି ଜାଳି ଜାଳି
ଉପଭୋଗ କରୁଥାନ୍ତି
ଏକ ସାଥେ ବସି କେତେ ଦୁଃଖ ସୁଖ
ନିଜ ଭିତରେ ବାଣ୍ଟନ୍ତି ।
ସବୁଜ ପୃଥିବୀ ଅପରୂପ ଶୋଭା
ମନ ମୋହି ନେଇଥାଏ
ସବୁଜ ପୃଥିବୀ ସବୁଜ ଖାଦ୍ୟରେ
ମଣିଷ ଯେ ସୁସ୍ଥ ରହେ ।
ଚାଷୀର ଆନନ୍ଦ ସବୁଜ କ୍ଷେତରେ
ବ୍ୟସ୍ତ ସେ ଆମଦାନୀରେ
ତା କଷ୍ଟ ଫସଲ ଅମଳ କରଇ
ବିତରଇ ଏ ଧରାରେ ।
ହେଲେ- - !
ଶୀତୁଆ ସକାଳ ମନୋରମ ଦୃଶ୍ୟ
ଆଜି ଦେଖା ଯାଏ ନାହିଁ
ହଜି ଯାଇଅଛି ଗାଁର ବୈଭବ
ମନେ ପଡ଼େ ସେଇ ସ୍ମୃତି ।
ସବୁଜ ପରିବା ମିଳିଯାଏ ସତ
ବିଷ ରେ ଯେ ପରିପୂର୍ଣ୍ଣ
ଜୈବିକ ପରିବା ଆଜି ମିଳୁନାହିଁ
ମଣିଷ ଆଜି ଯେ କ୍ଷୁର୍ଣ୍ଣ ।
ଜୀବନ ଦୃଶ୍ୟ
କେତେ ଭଲ ଖାଦ୍ୟ ତୁଳି ତଳ୍ପ ଶେଯେ
କିଏ ନିଏ ଶୀତ ମଜା
ଶୀତ ଥୁରୁ ଥୁରୁ ରାସ୍ତା ଧାରେ କିଏ
ଭାଗ୍ୟକୁ ନିନ୍ଦଇ ପରା ।
ଶୀତ ଅଟେ ପୁଣି କା' ପାଇଁ ଆରାମ
କା'ପାଇଁ କଷ୍ଟ ଗଣ୍ଠିଲି
ସେ ଗଣ୍ଠିଲି ଧରି ଚାଲୁ ଚାଲୁ ପୁଣି
କେବେ ପ୍ରାଣ ଯାଏ
ଚାଲି ।
ତଥାପି ଶୀତ ତୋ ଆବଶ୍ୟକତା କୁ
ପୃଥିବୀ ସଦା ଚାହିଁଛି
ନ ହେଲେ ତ ଋତୁ ଚକ୍ରରେ ବ୍ୟାଘାତ
ସର୍ବେ ହନ୍ତ ସନ୍ତ ହୋନ୍ତି ।
ଜୀବ ଜଗତକୁ ଶୀତ ଆବାହନୀ
କରିବାକୁ ପରା ପଡେ
ସେ ଅନୁଭବର ଅକୁହା କଥା ଯେ
ପୃଥିବୀ ବଖାଣୁ ଥାଏ ।
ମନର ଗୁଞ୍ଜରଣ
ସବୁ ଭଲ ମଧ୍ୟେ ଆଖିରେ ନାଚଇ
କେତେ ଅସହାୟ ଆଖି
ସେ ଆଖିର କେତେ ଅକୁହା କଥା ଯେ
ମନେ ଭରିଦିଏ କ୍ଳାନ୍ତି ।
ସହରୀ ଜୀବନ ଚାକଚକ୍ୟ ମଧ୍ୟେ
ଝୁମ୍ପୁଡି ବୁଲି ଆସିବା
ଚାଲ ଦୁଇ ପାଦ ଆଗେଇ ଯାଇ ଯେ
ମର୍ମ ବେଦନା ବୁଝିବା ।
ଚାଲ ବୁଲି ଯିବା ଗାଁ ଝୁମ୍ପୁଡିକୁ
ଶୀତର କଷ୍ଟ ଦେଖିବା
ଥୁରୁ ଥୁରୁ ଶୀତେ ନିଆଁ ପାଖେ ବସି
ଦି'ପଦ କଥା ହୋଇବା ।
ଜୀବନ କେଉଁଠି ଉପଭୋଗୀ ହୁଏ
କେଉଁଠି ଭାଗ୍ୟକୁ ନିନ୍ଦେ
ପ୍ଳାଟଫର୍ମର ସେ କେଉଁ ଏକ କୋଣେ
ନିଜକୁ ସାଉଁଟୁ ଥାଏ ।
ନିଜ ତୁଳି ତଳ୍ପ ଶେଯର ଗରମ
ଆନନ୍ଦ ତ ନିଶ୍ଚେ ନେବା
ହେଲେ ଅନ୍ୟ ପାଇଁ ନିଜ ସାମର୍ଥ୍ୟରେ
ଟିକିଏ ଉଷ୍ମତା ଦେବା ।
ଆଶ୍ୱସ୍ତି ଲଭିବ ଆହତ ପ୍ରାଣ ଯେ
ଆଶୀର୍ବାଦ ବରଷିବ
ସବୁଠୁ ଅମୂଲ୍ୟ ଧନ ସାଉଁଟିବା
ଆତ୍ମସନ୍ତୋଷ ଲଭିବ ।