କାର୍ତ୍ତିକ ଆସିଲା ହବିଷ ନେଇ
କାର୍ତ୍ତିକ ଆସିଲା ହବିଷ ନେଇ
ଶରତ ପୂର୍ଣ୍ଣିମା କହି ଦେଇଗଲା
ଆସୁଛି କାର୍ତ୍ତିକ ଧରମ ମାସ
ମହ ମହ ବାସ ଚହଟି ଉଠୁଛି
ଆହା କି ମଧୁର ଅନ୍ନ ହବିଷ ।
କାର୍ତ୍ତିକ ତ ସାର ବାରମାସେ ପରା
ଧର୍ମ ଧାରଣାର ମୂଳ ଆଧାର
ଚତୁର୍ବଗ ଫଳ ମିଳି ଥାଏ ସିନା
ଖୋଲି ଯାଏ ପରା ମୋକ୍ଷର ଦ୍ଵାର |
ହିନ୍ଦୁ ପରଂପରା ସ୍ୱତନ୍ତ୍ର ଏ ଧାରା
ବ୍ରତ ପାଳନର ନିଆରା ନୀତି
ପ୍ରତି ଟି ନୀତିରେ ଜୀବନର ଗୀତି
ଧରମ ପିୟୁଷ ହରଇ ମତି ।
କାର୍ତ୍ତିକ ହବିଷ ନିଷ୍ଠା ନିୟାମକ
ସାତ୍ତ୍ଵିକ ଭାବର ଉଦ୍ରେକ କାରୀ
ଆତ୍ମିକ ଶ୍ରଦ୍ଧାରେ କର୍ତ୍ତବ୍ୟ ଭାସଇ
ଦେଇ ଯାଉ ଥାଏ ଭକତି ବାରି ।
କାର୍ତ୍ତିକ ଆସିଛି ହବିଷ ଆଣିଛି
ସାତ୍ତ୍ବିକ ଆହାର ସୂଚ଼ନା ଧରି
ହବିଷାନ୍ନ ସିଦ୍ଧି ରନ୍ଧନର ବିଧି
ପୁସ୍ତକ ଦେଉଚ଼ି ଶିକ୍ଷାରେ ଭରି ।
କାର୍ତ୍ତିକ ଆସିଛି ହବିଷ କୁ ନେଇ
ଚଉରା ହସୁଛି ଆହା କି ଶୋଭା
ପଞ୍ଚୁବର୍ଣ୍ଣି ରଙ୍ଗେ ତତ୍ତ୍ଵ ପରଶଇ
ହିନ୍ଦୁ ପଞ୍ଚାଙ୍ଗର ବିଶେଷ ଆଭା |
ଧରମ ଏ ମାସ ଯୋଗନିଦ୍ରା ଭଙ୍ଗ
ଉତ୍ଥାପନ ଏକାଦଶୀର ଗାଥା
ତୁଳସୀ ମାହାତ୍ମ୍ୟ ମନ ଶାନ୍ତ କରେ
ହୃଦରେ ଲେଖଇ ଧର୍ମ ସଂହିତା ।
କାର୍ତ୍ତିକ ମାସଟି ମହ ମହ ବାସେ
ପର୍ବପର୍ବାଣୀ ର ଅପୂର୍ବ ରାସ
ଦୀପାବଳୀ ସଙ୍ଗେ ଗୋବର୍ଦ୍ଧନ ପୂଜା
କାର୍ତ୍ତିକ ପୂର୍ଣ୍ଣିମା ଐତିହ୍ୟ ବାସ ।
ଅତୀତ ଗୌରବ ଗାଥା କହୁଥାଏ
କହେ ସାଧବର ବାଣିଜ୍ୟ କଥା
ଅତୀତ ଗୌରବ ସୌରଭ ହଜିଛି
ହେଲେ ବି ଓଡ଼ିଆ ଆଜି ଗର୍ବିତା |
>କାର୍ତ୍ତିକ ଆସିଛି ହବିଷ କୁ ନେଇ
ଦୀପାବଳୀ ଶ୍ରାଦ୍ଧ ବୈଦିକ ନୀତି
ଶ୍ରାଦ୍ଧ କର୍ମ କାଣ୍ଡ ଶ୍ରଦ୍ଧାର ସଂକେତ
ପ୍ରଦୀପ ରାଜିରେ ଆହା କି କାନ୍ତି ।
କାର୍ତ୍ତିକି ଆସିଛି ହବିଷ କୁ ନେଇ
ଧର୍ମ ଧାରଣାର ଦୀପ ସଂହତି
ଶ୍ରୀବିଷ୍ଣୁ ପୂଜନ ସ୍ନାନ ଦାନେ ଲେଖା
ଉତ୍କଳୀୟ ଧର୍ମ ଧାରାର ଗୀତି ।
କାର୍ତ୍ତିକ ଆସିଛି ଦୀପ ଜଳୁଅଛି
ମନ ଆଲୋକିତ ସାତ୍ତ୍ଵିକ ଭାବେ
ସ୍ନାନ, ଦାନ, ପୁଣ୍ୟ,ଭଜନ, କାର୍ତ୍ତିନ
ମନରେ ଅମୃତ ଶଙ୍ଖ ଯେ ଶୁଭେ ।
ତୁଳସୀ ବୃକ୍ଷର ନିତ୍ୟ ଉପାସନା
ରାଇ ଦାମୋଦର ସ୍ୱତନ୍ତ୍ର ବିଧି
ଆକାଶ ଦୀପ ଯେ ଉର୍ଦ୍ଧ୍ଵେ ଉଠି କହେ
ଦିବ୍ୟଜ୍ଞାନୀ ସଦା ଲଭଇ ସିଦ୍ଧି ।
ବରଷକେ ଥରେ ରାଧା ପାଦ ଦେଖା
ଅଁଳାଗଛ ମୂଳେ ଲାଗଇ ଭିଡ଼
ସାରୁ, କଦଳୀ, ଓ ଜାଇମୁଗ, ଓଉ
କି ଅପୂର୍ବ ଅଟେ ଅଗସ୍ତି କଢ଼ ।
ହବିଷାନ୍ନ ସଂଗେ ଅଗସ୍ତି ଶାଗର
ସୁଆଦ ଖାଇଲେ ଜଣା ତ ଯାଏ
ମହ ମହ ବାସେ ହବିଷାନ୍ନ ପୁଣି
ରାଇ ଦାମୋଦର ନୈବେଦ୍ୟ ହୁଏ ।
କାର୍ତ୍ତିକ ଆସିଛି ହବିଷ ଆଣିଛି
ମହାଭାବନାର ମନ୍ତ୍ରରେ ଭରା
ଧର୍ମଧାରଣାର ଦିବ୍ୟ ଚେତନାକୁ
ପରଶୁଛି ପରା ହୋଇ ବିଭୋରା ।
ଶୁଦ୍ଧ ପରିବେଶ ସାତ୍ତ୍ଵିକ ଆହାର
ସ୍ଥିତପ୍ରଜ୍ଞତାର ଅପୂର୍ବ ଧାରା
ଆହା କି ସୁନ୍ଦର ଶୁଦ୍ଧ ପରିବେଶ
ସତେ ଅବା ଶାନ୍ତି, ମୁକ୍ତି ପସରା ।
କାର୍ତ୍ତିକ ଆସିଛି ହବିଷ କୁ ନେଇ
ଧରମ ଦୀପକୁ ହାତରେ ଧରି
ପ୍ରତିଟି ଦିନର ପ୍ରତିଟି ପହରେ
ଧରମ ଭାଙ୍ଗୁଛି ପୂତ ଲହରୀ ।