ଧୂମମୟ ଦୁନିଆ
ଧୂମମୟ ଦୁନିଆ
ଲୋକସଂଖ୍ୟା ବୃଦ୍ଧି ପ୍ରଗତି, ସମୃଦ୍ଧି
ବାନା ଉଡ଼େ ଫର ଫର
ପ୍ରକୃତି ରାଣୀ ର ସବୁଜ ଶାଢୀଟା
କଳା ଦାଗେ ନାରଖାର ।
ପ୍ରଗତି ସାଥିରେ ଧୂମ୍ର ବରଷଣ
ପ୍ରଶ୍ୱାସେ ଭରଇ ବିଷ
ନିଃଶ୍ଵାସ ବାୟୁର କଥା ଛାଡ଼ିଦିଅ
ଧୂମ୍ର ମୟ ଏହି ବିଶ୍ଵ |
କଳକାରଖାନା ଜୀବନ ପ୍ରଣାଳୀ
ଶିଳ୍ପାୟନ ର ପ୍ରଗତି
ଧରଣୀ ରାଣୀର ଶ୍ଵାସ ରୁଦ୍ଧ କରେ
ଜୀବନର ତିକ୍ତ ଗୀତି ।
ଧୂଆଁ ବଢୁ ଅଛି ବୃକ୍ଷ କମୁଅଛି
କାରଣ ସଭିଙ୍କୁ ଜଣା
ପ୍ରକୃତି ରାଣୀ ର କମନୀୟ କାନ୍ତି
ହୋଇ ଗଲାଣି ପୁରୁଣା ।
ଧୂମ୍ର ଦୁନିଆଟା ଅସ୍ବସ୍ତି ଭରୁଛି
ଡାକିଆଣେ କେତେ ରୋଗ
ଯନ୍ତ୍ରଣାରେ ଆଜି ମଣିଷ ସଢ଼ୁଛି
ତଥାପି ନୁହେଁ ସଜାଗ |
ଧୂମମୟ ଏଇ ପ୍ରକୃତିରେ ଶୁଭେ
କାନ୍ଦଣାର ପ୍ରତିଧ୍ବନୀ
ଧୂମ କରିଅଛି ଶୋଭା ବିପର୍ଯ୍ୟସ୍ତ
କାନ୍ଦୁଛି ପ୍ରକୃତି ରାଣୀ ।
ଧୂମ୍ର ଦୁନିଆ ର ବିଷ କେ ରୋକିବ
ବୃକ୍ଷ ଜୀବନ ବିପନ୍ନ
ପ୍ରଗତି ପଥରେ ବୃକ୍ଷ ଆତ୍ମବଳୀ
ଜଙ୍ଗଲ ର ମନ କ୍ଷୁର୍ଣ୍ଣ ।
ପ୍ରଗତି ହେଉଛି ସଭିଏଁ କହନ୍ତି
ସଂସ୍କୃତି ଗୁମୁରି କାନ୍ଦେ
ଦୀପାବଳୀ ପୁଣ୍ୟ ପୟୋଧି ତଟରେ
ଧୂମ୍ର ମନ ଧ୍ୟାନ ରୁନ୍ଧେ ।
ମାଟି ଦୀପ ଆଜି ବାହୁନି କାନ୍ଦୁଛି
ସ୍ରଷ୍ଟା ଭୁଲିଛି ସୃଜନୀ
ଆତସବାଜି ର ଛାତି ଧରା ଶବ୍ଦେ
ବାହୁନି କାନ୍ଦେ ଧରଣୀ ।
ପବିତ୍ର ପାବନୀ ପୁଣ୍ୟ ଦୀପାବଳି
ଆଲୋକ ବର୍ଷିଣୀ ପର୍ବ
ଆମ ସଂସ୍କୃତିର ପ୍ରୀତି ବାର୍ତ୍ତାବହ
ବାଢ଼ଇ ଶ୍ରଦ୍ଧା ମହାର୍ଘ ।
ଗାଁ ଠୁ ସହର ଧିମ୍ର ମୟ ଆଜି
ପ୍ରଦୁଷଣ ନିମନ୍ତ୍ରିତ
ପ୍ରକୃତି ଖୋଜୁଛି ହଜିଲା ଅତୀତ
ସଭିଏଁ ତ ଇତଃସ୍ତତ ।
ଦୀପ ଶାନ୍ତି ହଜି ଯାଉ ଅଛି ଆଜି
ଧୂମ୍ରମୟ ତିକ୍ତ ରାଶି
ଦୀପାବଳୀ ତାର ହରାଇଛି କାନ୍ତି
ହଜିଛି ଶ୍ରଦ୍ଧାର ଶଶୀ ।
ଆତସବାଜି ର ଘନଘଟା ମଧ୍ୟେ
ଦୀପାବଳୀ ଶ୍ଵାସ ରୁଦ୍ଧ
ଦୁର୍ଘଟଣା ଘଟେ ପୁଣ୍ୟ ପୟୋଧିରେ
ପରଂପରା ହୁଏ ବଦ୍ଧ ।
ଆନନ୍ଦ ର ଅର୍ଥ ନିରର୍ଥ ହୋଇଛି
ଆଲୋକ ଦିଗ ହରାଏ
ଧୂମ୍ରହୀନ ଦୀପାବଳୀ ପାଇଁ ଏ ପ୍ରକୃତି
ଅନୁରୋଧ ସତେ କରେ |
ଧୂମ୍ର ମୟ ଏଇ ଦୁନିଆଁ ର ଦାଉ
ଚାଲ ଆମେ ମିଟାଇବା
ବୃକ୍ଷ ସୁଷମାରେ ସବୁଜ ଛଟାରେ
ଏ ଦୁନିଆ ଭରି ଦେବା ।
ବ୍ୟକ୍ତିଗତ ସ୍ତରୁ ପ୍ରୟାସ ଯେ ଜାରୀ
ଗୋଷ୍ଠୀ ସ୍ତରକୁ ଛୁଇଁବ
ବିଜ୍ଞାନର ଜ୍ଞାନ ବାସ୍ତବ ମନନ
ଧୂମ୍ରତାକୁ କମାଇବ ।
ଧୂମ୍ର ମୟ ଏଇ ଦୁନିଆ ବୁକୁରେ
ଯନ୍ତ୍ରଣା ର ହା ହା କାର
ହାତେ ହାତ ରଖି ପ୍ରୟାସ କରିଲେ
ଯନ୍ତ୍ରଣା ହୋଇବ ଦୂର ।
ଦୀପାବଳୀ ଦୀପ ସଂସ୍କାର ଧାରା ରେ
ଶାନ୍ତିର ଆଲୋକ ବାଣ୍ଟୁ
ଦୁନିଆ ବୁକୁର କାଳିମା କୁ ପୋଛି
ଆଲୋକ ଶିଖା ସାଉଁଟୁ |